ସଂଶୋଧନ ହେବ ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସ୍ତାବ, ତର୍ଜମା ପାଇଁ ଜନଜାତି ଉପଦେଷ୍ଟା ପରିଷଦକୁ ପଠାଇଲେ ସରକାର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିରୋଧୀଙ୍କ ତୀବ୍ର ବିରୋଧ ଓ ବିବାଦ ବଢିବା ପରେ ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତିକୁ ସଂଶୋଧନ କରାଯିବ | ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ଏନେଇ ନିଷ୍ପତ୍ତି ନିଆଯାଇଛି | ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ | ମିଳିଥିବା ସୂଚନା ମୁତାବକ ଗତ ୧୪ ତାରିଖରେ ଆଦିବାସୀ ଆଇନରେ ସଂଶୋଧନ ପ୍ରସ୍ତାବ ପାରିତ ହୋଇଥିଲା | ବିବାଦ ପରେ ୧୬ ତାରିଖରେ ନିଷ୍ପତ୍ତି ସ୍ଥଗିତ ରଖାଯାଇଥିଲା | ତେବେ ନିଷ୍ପତ୍ତି ସ୍ଥଗିତ ସତ୍ତ୍ୱେ ବିଧାନସଭାରେ ବିରୋଧୀ ବିରୋଧ ଜାରି ରଖିଥିଲେ | ଗୃହରେ ହଟ୍ଟଗୋଳ ସାଙ୍ଗକୁ ରାଜ୍ୟପାଳଙ୍କୁ ମଧ୍ୟ ଭେଟିଥିଲେ | ଆଦିବାସୀଙ୍କ ଜମି ହସ୍ତାନ୍ତର ନେଇ କ୍ୟାବିନେଟ୍‌ ନିଷ୍ପତ୍ତିର ପ୍ରତିବାଦରେ ବିଧାନସଭା ଦୁଇଦିନ ହେଲାଣି ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା। ଆଉ ଏହାପରେ ସରକାର ଏହାକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଏବେ ସଂଶୋଧନ ପାଇଁ ଜନଜାତି ଉପଦେଷ୍ଟା ପରିଷଦ ନିକଟକୁ ପଠାଯାଇଛି | ଏନେଇ ତର୍ଜମା କରିବାକୁ ଜନଜାତି ଉପଦେଷ୍ଟା ପରିଷଦକୁ ପଠାଯାଇଛି |

ସୂଚନାଯୋଗ୍ୟ ଯେ, କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ଆଦିବାସୀମାନେ ଏଣିକି ଅଣ ଆଦିବାସୀମାନଙ୍କୁ ନିଜର ଜମି ବିକ୍ରି କରିପାରିବେ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଉପଜିଲ୍ଲାପାଳଙ୍କୁ ଆବେଦନ କରି ଜଣେ ଆଦିବାସୀ ନିଜର ଜମି ଅଣ ଆଦିବାସୀଙ୍କୁ ବିକି ପାରିବେ। ଯଦି ୬ ମାସ ଭିତରେ ଉପଜିଲ୍ଲାପାଳ ଏନେଇ କୌଣସି ନିଷ୍ପତ୍ତି ନ ନିଅନ୍ତି, ତେବେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବାକୁ ହେବ। ଏହି ମାମଲାରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ନିଷ୍ପତ୍ତି ବୋଲି ଧରାଯିବ। ଏହାଫଳରେ ଜଣେ ଆଦିବାସୀ ଅଣଆଦିବାସୀଙ୍କୁ ନିଜ ଜମିକୁ ଉପହାର ଆକାରରେ ଦେଇପାରିବେ। ଠିକ୍ ସେହିପରି ଜଣେ ଆଦିବାସୀ ନିଜର ଜମିକୁ ସର୍ବସାଧାରଣ ଅର୍ଥପ୍ରଦାନକାରୀ ସଂସ୍ଥାରେ ବନ୍ଧକ ରଖି ଋଣ ମଧ୍ୟ ଆଣିପାରିବେ। ଏହାକୁ ନେଇ ବିରୋଧୀ ତୀବ୍ର ବିରୋଧ କରିଥିଲେ |

Related Posts