ଅପରାଜିତାଙ୍କ ବଡ଼ ଅଭିଯୋଗ; ଅଣଓଡ଼ିଆ ଜମି ମାଫିଆଙ୍କ ନଜରରେ ରାଜ୍ୟର ଆଦିବାସୀଙ୍କ ଜମି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗରେ କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଏହି ପ୍ରସଙ୍ଗରେ ଟ୍ୱିଟ କରି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ | ଏଥିସହିତ ବିଧାନସଭା ଶୀତ ଅଧିବେଶନକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି | ଟ୍ୱିଟ୍‌ କରି ଅପରାଜିତା ଲେଖିଛନ୍ତି ଯେ, ବିଧାନସଭା ଅଧିବେଶନ ୩୦ ଦିନ ଚାଲିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ହେଲେ ମାତ୍ର ୪ ଦିନ ଭିତରେ ଅଧିବେଶନକୁ ଆଗୁଆ ବନ୍ଦ କରିଦେଲେ ସରକାର। ଅହେତୁକ ଭୟ ଯୋଗୁଁ ବିଧାନସଭା ବନ୍ଦ କରି ଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି।

ସେହିପରି ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଶ୍ନ କରି ସେ ଲେଖିଛନ୍ତି ଯେ, କିଛି ଅଣ ଓଡ଼ିଆ ଜମିମାଫିଆ ଓ କର୍ପୋରେଟଙ୍କୁ ସୁହାଇବା ପାଇଁ ଆଦିବାସୀଙ୍କ ଜମି ହସ୍ତାନ୍ତର ନିୟମକୁ କ୍ୟାବିନେଟରେ ପରିବର୍ତ୍ତନ କରାଯାଇଥିଲା। ଯଦି ଅନୁସୂଚିତ ଜନଜାତି ପରାମର୍ଶଦାତା କମିଟି ଏହାକୁ ଜୁଲାଇ ମାସରୁ ଅନୁମତି ଦେଇଥିଲା, ତେବେ ଏହାକୁ ସର୍ବସାଧାରଣରେ କାହିଁକି ପ୍ରକାଶ କରାଯାଇ ନଥିଲା? ଏଥିପାଇଁ ଲୋକଙ୍କ ମତାମତ ନିଆଯାଇ ଥିଲା କି ? ଏହା ଦ୍ୱାରା କେଉଁମାନେ ଉପକୃତ ହୋଇଥାନ୍ତେ? ଏପରି ନିଷ୍ପତ୍ତି ପଛରେ ଅଣଓଡିଆ ଜମି ମାଫିଆ ଓ କର୍ପୋରେଟଙ୍କ ହାତ ରହିଛି କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା |

ସେହିପରି ଅନୁସୂଚିତ ଜନଜାତି ପରାମର୍ଶଦାତା କମିଟି ଦ୍ୱାରା ଦିଆଯାଇଥିବା ପ୍ରସ୍ତାବର ଅଡିଓ, ଭିଡିଓ ରେକର୍ଡିଂ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି। କ୍ୟାବିନେଟର ଏଭଳି ସଂଶୋଧନ ନିଷ୍ପତ୍ତିକୁ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ମୋହର ଦରକାର। ତେବେ ରାଷ୍ଟ୍ରପତିଙ୍କ ବିନା ଅନୁମତିରେ ଏହି ନିଷ୍ପତ୍ତିକୁ କାହିଁକି ସାର୍ବଜନୀନ କରାଗଲା ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ତେବେ ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗରେ କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ ସରକାର ପ୍ରଥମେ ସ୍ଥଗିତ ରଖିଥିଲେ | ପରେ ଏହାକୁ ପୁନର୍ବିଚାର ପାଇଁ ଅନୁସୂଚିତ ଜନଜାତି ପରାମର୍ଶଦାତା କମିଟିକୁ ପଠାଇ ଦେଇଛନ୍ତି | ଏହାରି ମଧ୍ୟରେ ବିରୋଧୀ ସରକାରଙ୍କୁ ଘେରିବା ଜାରି ରଖିଥିବାବେଳେ ଅପରାଜିତାଙ୍କ ଟ୍ୱିଟ୍‌ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Related Posts