ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭଦ୍ରକ ଜିଲ୍ଲା ତିହିଡ଼ି ଥାନାରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଉକ୍ତ କନେଷ୍ଟବଳଙ୍କ ନାମ ତୋଫାନ କୁମାର ପାତ୍ର ବୋଲି ଜଣାଯାଇଛି। ସରକାରୀ କ୍ୱାର୍ଟର୍ସରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ତିହିଡ଼ି ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଘଟଣାର ତଦନ୍ତ ଆରମ୍ଭ କରିଛି ତିହିଡ଼ି ପୁଲିସ।
ସୂଚନା ଅନୁଯାୟୀ, କନେଷ୍ଟବଳ ତୋଫାନ କୁମାର ପାତ୍ର ଘରଙ୍କ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ। ସେ ପ୍ରାୟ ଦେଢ଼ ବର୍ଷ ହେବ ତିହିଡ଼ି ଥାନାରେ କାର୍ଯ୍ୟ କରିଆସୁଥିଲେ। ସେ ସରକାରୀ କ୍ୱାର୍ଟର୍ସରେ ଏକା ରହୁଥିଲେ। ସେ ଗତ ରାତି ପ୍ରାୟ ଗୋଟାଏ ବେଳେ ଡିଉଟି ସାରି କ୍ୱାର୍ଟର୍ସକୁ ଯାଇଥିଲେ। ତାପରେ ସେ ବେକରେ ଦଉଡ଼ି ଦେଇ ଝୁଲିପଡ଼ିଥିବା କୁହାଯାଉଛି। ତେବେ ଆଜି ସକାଳେ ପଡ଼ୋଶୀ ଝରକା ବାଟେ ତୋଫାନ କୁମାର ପାତ୍ର ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ସେ କେଉଁଝର ଜିଲ୍ଲାର ବାସିନ୍ଦା ବୋଲି ଜଣାଯାଇଛି।





