ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବାରବାଟୀ-କଟକ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରିଛନ୍ତି ଓଡ଼ିଶା ହାଇକୋର୍ଟ। ନିଜ ନିର୍ବାଚନୀ ସତ୍ୟପାଠରେ ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ଅସିଦ୍ଧ ଘୋଷାଣା କରାଯାଇଛି। କଟକ-ବାରବାଟୀ ଏବେ ବିଧାୟକ ଶୂନ୍ୟ ବୋଲି ହାଇକୋର୍ଟ ଘୋଷଣା କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ତରଫରୁ ଦାୟର ନିର୍ବାଚନୀ ମୋକଦ୍ଦମାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ମୋକିମଙ୍କ ବିରୋଧରେ ପୂର୍ବତନ ବିଧାୟକ ତଥା ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ମାମଲା କରିଥିଲେ। ଆବେଦନକାରୀ ଶ୍ରୀ ସାମନ୍ତରାୟଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ୍ କାନୁନଗୋ, ଆଇନଜୀବୀ ଗୋପାଳ ଅଗ୍ରୱାଲ, ସିଦ୍ଧାର୍ଥ ଦାସ, ଶ୍ରୀ ମୋକିମ୍ଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଓ ତରଣୀକାନ୍ତ ବିଶ୍ବାଳ ମାମଲା ପରିଚାଳନା କରିଛନ୍ତି।





