କଣ୍ଠଶିଳ୍ପୀ ସୋନୁ ନିଗମ ଓ ତାଙ୍କ ଟିମ୍ ସହ ମାର୍‌ପିଟ୍‌ ଘଟଣା; ବିଧାୟକଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୧/୨(ସତ୍ୟପାଠ ବ୍ୟୁରୋ): ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମ ଓ ତାଙ୍କ ଟିମ୍ ଉପରେ ଆକ୍ରମଣ ଘଟଣା। ଲାଇଭ୍ ସିଙ୍ଗିଙ୍ଗ ଇଭେଣ୍ଟ ବେଳେ କିଛି ଲୋକେ ତାଙ୍କୁ ମାର୍‌ପିଟ୍ କରିଥିବା ସୂଚନା ମିଳିଛି। ଏନେଇ ସୋନୁ ନିଗମ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ମୁମ୍ବାଇ ପୁଲିସ ବିଧାୟକଙ୍କ ପୁଅକୁ ଗିରଫ କରିଛି।

ସୋମବାର ମୁମ୍ବାଇ ଚେମ୍ବୁର ଅଞ୍ଚଳରେ ସୋନୁ ନିଗମଙ୍କ ଏକ କନସର୍ଟ ଥିଲା।ଏହି କନସର୍ଟ ବେଳେ ସୋନୁଙ୍କ ସହ ସେଲ୍ଫି ନେବାକୁ ନେଇ ବିବାଦ ଉପୁଜିଥିଲା। ଏହାପରେ ସୋନୁ ନିଗର ଓ ତାଙ୍କ ଟିମ୍ ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ତାଙ୍କ ଟିମ୍‌ର କିଛି ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ପୂରା ଘଟଣା ବେଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସୋନୁଙ୍କ ଟିମ୍‌ର ଜଣେ ବ୍ୟକ୍ତିଙ୍କୁ କିଛି ଲୋକେ ଟାଣି ଟାଣି ମଞ୍ଚ ତଳକୁ ଆଣୁଥିବା ଦେଖିବାକୁ ମିଳିଛି।

ସେପଟେ ସୋନୁ ଏନେଇ ଚେମ୍ବୁର ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏବେ ଏହି ଘଟଣାରେ ପୁଲିସ ସ୍ୱପ୍ନିଲ୍ ପ୍ରକ‌ାଶ ଫ‌ଟେରପେକର୍‌ଙ୍କୁ ଗିରଫ କରିଛି। ସ୍ୱପ୍ନିଲ୍ ହେଉଛନ୍ତି ଚେମ୍ବୁରର ବିଧାୟକ ପ୍ରକାଶ ଫ‌ଟେରପେକର୍‌ଙ୍କ ପୁଅ। ସ୍ୱପ୍ନିଲ୍ ସୋନୁଙ୍କ ସହ ଫଟୋ ଉଠାଇବାକୁ ତାଙ୍କ ନିକଟକୁ ଯାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହେଲେ କଣ୍ଠଶିଳ୍ପୀଙ୍କ ଟିମ୍‌ର ସଦସ୍ୟ ତାଙ୍କୁ ଚିହ୍ନି ନପାରି ସୋନୁଙ୍କ ପାଖକୁ ଛାଡ଼ିନଥିଲେ। ଏହି କଥାକୁ ନେଇ ବିଧାୟକଙ୍କ ପୁଅ ସ୍ୱପ୍ନିଲଙ୍କ ସମର୍ଥକ ଓ ସୋନୁ ନିଗମଙ୍କ ଟିମ୍ ମଧ୍ୟରେ ବିବାଦ ଉପୁଜିଥିଲା। ପରେ ମାର୍‌ପିଟ୍ ଯାଏଁ କଥା ଯାଇଥିଲା।

ଉଲ୍ଲେଖଯୋଗ୍ୟ, ସୋନୁ ଏବଂ ତାଙ୍କ ଦଳ ଚେମ୍ବୁରରେ ଶିବସେନା (ୟୁଟିବି) ନେତା ପ୍ରକାଶ ଫ‌ଟେରପେକର୍‌ଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଏକ ସଂଗୀତ କାର‌୍ୟ୍ୟକ୍ରମରେ ଯୋଗ ଦେବା ସମୟରେ ଏପରି ଅଘଟଣ ଘଟିଛି।

Related Posts