ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ବିଲ୍ ଆଗତ କରିବାକୁ ରୁଲିଂ ଦେଲେ ବାଚସ୍ପତି

ଭୁବନେଶ୍ୱର,୧୬/୩ (ସତ୍ୟପାଠ ବ୍ୟୁରୋ): ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ। ଦିଲ୍ଲୀର ବିଧାୟକମାନଙ୍କ ଦରମା ବୃଦ୍ଧି ପରେ ଓଡ଼ିଶା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ବିଧାନସଭାରେ ଉଠିଛି। ଏହାକୁ ସବୁ ଦଳର ବିଧାୟକ ସମର୍ଥନ ଜଣାଇଛନ୍ତି । ବୁଧବାର ଶୂନ୍ୟକାଳରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ସବୁ କମିଟି ରିପୋର୍ଟ ଦେଲା ପରେ ମଧ୍ୟ ସରକାର କ’ଣ ନିଷ୍ପତ୍ତି ନେଲେ ଜଣା ପଡୁନାହିଁ।ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ସେ ଏ ସମ୍ପର୍କରେ ବିଲ ଆଣନ୍ତୁ, ବିଧାୟକମାନଙ୍କ ଚଳିବା କଷ୍ଟକର ହେଉଛି ବୋଲି ନରସିଂହ ମିଶ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଗୃହରେ ସବୁ ସଦସ୍ୟଙ୍କ ଉଦବେଗ ପ୍ରକାଶ ପାଉଛି। ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ପାଇଁ କମିଟି ତାହାର ରିପୋର୍ଟ ଦେଇସାରିଛନ୍ତି। ରିପୋର୍ଟ ସଂସଦୀୟ ବ୍ୟାପର ବିଭାଗକୁ ପଠାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଉପସ୍ଥିତ ଅଛନ୍ତି। ସେ ଗୃହର ନେତାଙ୍କ ସହ ଆଲୋଚନା କରନ୍ତୁ, ଗୃହକୁ ବିଲ କେମିତି ଆସିବ ପଦକ୍ଷେପ ନିଆଯାଉ।

ଅନ୍ୟପଟେ ଗୃହରେ ନରସିଂହ ମିଶ୍ରଙ୍କ ଏହି ପ୍ରସଙ୍ଗକୁ ସମର୍ଥନ କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ। ସେ କହିଛନ୍ତି ଯେ, ପୂର୍ବତନ ବିଧାୟକମାନେ ମଧ୍ୟ ଅସୁବିଧାରେ ଅଛନ୍ତି। ଏନେଇ ମୁଁ ରିପୋର୍ଟ ଦେଇ ସାରିଛି। ଦିଲ୍ଲୀର ବିଧାୟକ ମାନଙ୍କ ଦରମା ବୃଦ୍ଧି ହୋଇଛି। ପୂର୍ବରୁ ଏହି ପ୍ରସଙ୍ଗରେ ସମସ୍ତେ ରିପୋର୍ଟ ଦେଇସାରିଛନ୍ତି ବୋଲି ସେ କହିଛନ୍ତି। ତେବେ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବିଲ ଗୃହରେ ଆଗତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାଚସ୍ପତି ରୁଲିଂ ଦେଇଥିବା ଜଣା ପଡିଛି।

Related Posts