ଭୁବନେଶ୍ୱର,୧୫/୪(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ରବିବାର ହାଜର ହେବାକୁ ସମନ କରିବା ପରେ ଏବେ ରାଜନୈତିକ ମାହୋଲ ସରଗରମ ହୋଇଛି । କେଜ୍ରିୱାଲଙ୍କୁ ସିବିଆଇ କରିଥିବା ସମନ ଉପରେ ଆଲୋଚନା କରିବା ପାଇଁ ଦିଲ୍ଲୀ ସରକାର ସୋମବାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶ ଡାକିଛନ୍ତି।
ପୂର୍ବରୁ ସିବିଆଇ ଏହି ମାମଲାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିସାରିଛି। ଆସନ୍ତାକାଲି ଦିନ ୧୧ଟାରେ କେଜ୍ରିୱାଲଙ୍କୁ ହାଜର ହେବାକୁ କୁହାଯାଇଥିବା ବେଳେ ଏହି ସମୟରେ ଆପ୍ର କର୍ମୀମାନେ ବିକ୍ଷୋଭ କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ୍ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।
ସେପଟେ କେଜ୍ରିୱାଲଙ୍କୁ ସମନ କରାଯିବା ପରେ ଆପ ବିଧାୟକ ତଥା ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି, “ବର୍ତ୍ତମାନ ସ୍ଥିତି ଆଦୌ ଭଲ ନାହିଁ। ଏହି ପ୍ରସଙ୍ଗ ବିଧାନସଭାରେ ଆଲୋଚନା ହେବ। ଏବେର ପରିସ୍ଥିତିରେ କ’ଣ ସବୁ ଚାଲିଛି, ଦିଲ୍ଲୀ ସରକାରଙ୍କ ନେତାମାନେ ତା’ଉପରେ କହିବେ। ତେଣୁ ସୋମବାର ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଉଛି।”
ସେହିପରି କେଜ୍ରିୱାଲ ସମନ ପାଇବା ପରେ କେନ୍ଦ୍ର ସରକାର, ସିବିଆଇ ଓ ଇଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କୋର୍ଟରେ ଭୁଲ ପ୍ରମାଣ ଓ ସତ୍ୟପାଠ ଦଖଲ କରିଥିବାରୁ ଆମେ ସିବିଆଇ ଓ ଇଡି ବିରୋଧରେ କେସ କରିବୁ।
କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଏହାକୁ ନେଇ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଯଦି କୋର୍ଟ ଆପଣଙ୍କୁ ଦଣ୍ଡ ଦେବେ, ତା’ହେଲେ ଆପଣ କୋର୍ଟ ନାଁରେ ମଧ୍ୟ କେସ୍ କରିବେ? ଏକଥା ଉଲ୍ଲେଖ କରିବାକୁ ବୋଧେ ଭୁଲି ଯାଇଛନ୍ତି? ଆଇନକୁ ତା’ ବାଟରେ ଯିବାକୁ ଦିଅନ୍ତୁ ଓ ଆମେ ଆଇନକୁ ମାନିବା ଦରକାର। ଇଡି ଓ ସିବିଆଇ ବିରୋଧରେ କୋର୍ଟ ଯିବେ, ଯଦି କୋର୍ଟ ବି ଆପଣଙ୍କ ବିରୋଧରେ ଗଲେ, ତା’ହେଲେ କୋର୍ଟ ବିରୋଧରେ ମଧ୍ୟ ଆପଣ ଯିବେ?”
କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ ଇଡି ଦାଖଲ କରିଥିବା ଚାର୍ଜସିଟରେ କହିଛି ସିସୋଦିଆ ୧୪ଟି ଫୋନ ଓ ଆଇଏମଇଆଇ ନମ୍ବରକୁ ନଷ୍ଟ କରି ଦେଇଛନ୍ତି। ସିଜ ହେଇଥିବା ମେମୋରେ ଦର୍ଶାଯାଇଛି ଯେ ୧୪ଟି ଫୋନରୁ ୪ଟି ଇଡି ପାଖରେ ଓ ଗୋଟିଏ ସିବିଆଇ ପାଖରେ ରହିଛି। ତେବେ ଅଧିକାଂଶ ଫୋନ ଆକ୍ଟିଭ ଓ ଆପ୍ ସ୍ୱେଚ୍ଛାସେବୀମାନେ ଏହାକୁ ବ୍ୟବହାର କରୁଛନ୍ତି। ଇଡି ଓ ସିବିଆଇ ଭଲ ଭାବେ ଫୋନଗୁଡ଼ିକ ବିଷୟରେ ଜାଣିଛନ୍ତି। କିନ୍ତୁ ସେମାନେ ମିଥ୍ୟା ସତ୍ୟପାଠ ଦେଇ କୋର୍ଟଙ୍କୁ ଭ୍ରମିତ କରୁଥିବା ସେ କହିଛନ୍ତି।





