ବିଜେଡି ସରକାରର ଶେଷ ୧୭ ମାସ; ପାଣ୍ଡିଆନଙ୍କ ଫଟୋ ବିଜ୍ଞାପନ ପାଇଁ ୧୫ କୋଟି ଖର୍ଚ୍ଚ

ଭୁବନେଶ୍ୱର,୨୯/୮(ସତ୍ୟପାଠ ବ୍ୟୁରୋ):  ବିଜେଡି ସରକାରର ଶେଷ ୧୭ ମାସ, ଅର୍ଥାତ ୨୦୨୩ ଜାନୁଆରୀରୁ ୨୦୨୪ ମେ ପର୍ଯ୍ୟନ୍ତ ଖବରକାଗଜରେ କେବଳ ନବୀନଙ୍କ ଫଟୋ ଥିବା ବିଜ୍ଞାପନ ଛାପିବା ପାଇଁ ତତ୍କାଳୀନ ସରକାର ଖର୍ଚ କରିଥିଲେ ୩୩ କୋଟି ୭୧ ଲକ୍ଷ ଟଙ୍କା | ଆଉ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଓ 5T ଅଧକ୍ଷ ଭାବେ ଭିକେ ପାଣ୍ଡିଆନଙ୍କ ଫଟୋ ବିଜ୍ଞାପନରେ ଛାପିବା ପାଇଁ ସରକାର ଖର୍ଚ କରିଛନ୍ତି ୧୫ କୋଟି ୨୬ ଲକ୍ଷ ଟଙ୍କା। ଅର୍ଥାତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ବିଜ୍ଞାପନରେ ଛାପିବାକୁ ବିଜେଡି ସରକାରର ଶେଷ ୧୭ ମାସରେ ପାଖାପାଖି ୫୦ କୋଟି ଟଙ୍କା ଖର୍ଚ ହୋଇଛି | ସେହିଭଳି ପାଣ୍ଡିଆନଙ୍କ ଫଟୋ ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟିରୁ ଅଧିକ ଟଙ୍କା | ଏନେଇ ବିଜେପି ବିଧାୟକ ଲକ୍ଷ୍ମଣ ବାଗ ବିଧାନସଭାରେ ପ୍ରଶ୍ନ କରିଥିଲେ | 

ଏହାର ଲିଖିତ ଉତ୍ତର ଦେଇ ଏହି ତଥ୍ୟ ଗୃହରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ | ଅର୍ଥାତ ନିର୍ବାଚନକୁ ଯିବା ପୂର୍ବରୁ ଶେଷ ୧୭ ମାସରେ ବିଜ୍ଞାପନରେ ଏହି ଅର୍ଥ ଖର୍ଚ୍ଚ କରିଥିଲେ ନବୀନ ସରକାର | 

ଠିକ ସେହିପରି ଗତ ପାଞ୍ଚ ବର୍ଷରେ ପ୍ରଚାର ପାଇଁ ପୂର୍ବତନ ବିଜେଡି ସରକାର ଖର୍ଚ୍ଚ କରିଥିଲେ ୪ଶହ ୫୨ କୋଟି ୯୬ ଲକ୍ଷ ଟଙ୍କା । ବିଧାନସଭାରେ ବିଜେପି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Related Posts