ସରିଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ; ଗୋଟିଏ ଫଟୋ ଫ୍ରେମ୍‌ରେ ନଜର ଆସିଲେ ଶାସକ ଓ ବିରୋଧୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସରିଲା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ | ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି କଲେ ବାଚସ୍ପତି | ମୋଟ ୫ ଦିନ ବିଧାନସଭା ଚାଲିଥିବାବେଳେ ୨ଟି କାର୍ଯ୍ୟ ଦିବସ ପୂର୍ବରୁ ଅଧିବେଶନ ସରିଲା | ସେପଟେ ଷୋଡଶ ବିଧାନସଭାର ଶେଷ ଅଧିବେଶନରେ ଶାସକ ଓ ବିରୋଧୀ ଦଳର ବିଧାୟକମାନଙ୍କୁ ଗୋଟିଏ ଫଟୋ ଫ୍ରେମ୍‌ରେ ଦେଖିବାକୁ ମିଳିଛି। ଗତ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବଜେଟ୍‌ ଅଧିବେଶନ ଅବସରରେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସହିତ ବିଧାୟକମାନେ ଆଜି ଫଟୋ ଉଠାଇଛନ୍ତି। ଶାସକ-ବିରୋଧୀ ଏକାଠି ହୋଇ ଫଟୋସୁଟ୍ କରିଛନ୍ତି ଏବଂ ପରସ୍ପରକୁ ଆଗାମୀ ରାଜନୈତିକ ଯାତ୍ରା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ଏହି ଫଟୋସୁଟ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅନେକ ବିଧାୟକ ଭାବବିହ୍ୱଳ ହୋଇଥିବାର ଦେଖିବାକୁ ମିଳିଛି। ସୁର ରାଉତରାୟ, ନରସିଂହ ମିଶ୍ରଙ୍କ ଭଳି ନେତାଙ୍କର ଏହା ଶେଷ ବିଧାନସଭା ଅଧିବେଶନ ଥିଲା। କାରଣ ଉଭୟ ୨୦୨୪ ନିର୍ବାଚନରେ ଆଉ ପ୍ରତିଦ୍ୱନ୍ଦ୍ୱିତା କରିବେନି ବୋଲି ପୂର୍ବରୁ ଘୋଷଣା କରିଛନ୍ତି। ସେହିଭଳି ୨୦୨୪ ନିର୍ବାଚନରେ ଅନେକ ବିଧାୟକ ଟିକେଟରୁ ମଧ୍ୟ ବଞ୍ଚିତ ହୋଇପାରନ୍ତି। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ବିଧାୟକମାନେ ଭାବବିହ୍ୱଳ ହୋଇଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ମୋ ପାଇଁ ବିଧାନସଭା ସବୁବେଳେ ସ୍ମରଣୀୟ ହୋଇ ରହିବ। ଆସନ୍ତା ନିର୍ବାଚନରେ ମୁଁ ଲଢିବିନି। ବିଧାନସଭାରୁ ବହୁତ କିଛି ଶିଖିଛି। ତେଣୁ ଏହି ଶେଷ ଅଧିବେଶନ ସବୁବେଳେ ସ୍ମରଣୀୟ ହୋଇ ରହିବ।

ସେହିଭଳି ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି, ଫଟୋ ସେସନରେ ସବୁ ବିଧାୟକ ଏକତ୍ରୀତ ହୋଇଥିଲୁ। ସମସ୍ତେ ଉତ୍ସାହିତ ଥିଲେ। ଲୋକଙ୍କ ମତ ଅନୁଯାୟୀ କିଏ ଆସନ୍ତା ଅଧିବେଶନରେ ଗୃହକୁ ଆସିବ ତାହା ତ ସମୟ କହିବ। କିନ୍ତୁ ଏହି ଅଧିବେଶନ ସ୍ମରଣୀୟ ହୋଇ ରହିବ। ପ୍ରଥମ ମହିଳା ବାଚସ୍ପତି ଭାବେ ଭଲ ଅନୁଭୂତି ପାଇଛି ବୋଲି ସେ କହିଛନ୍ତି।

Related Posts