ଖରାପ ପ୍ରଭାବ ପକାଉଥିବା ଫୋଟୋ ଓ ଭିଡ଼ିଓକୁ ଟିଭିରେ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଭୁବନେଶ୍ୱର,୯/୧(ସତ୍ୟପାଠ ବ୍ୟୁରୋ): କୌଣସି ଟେଲିଭିଜନ ଚ୍ୟାନେଲ ମହିଳା, ଶିଶୁ ଓ ବୟସ୍କଙ୍କ ବିରୁଦ୍ଧରେ ହେଉଥିବା ହିଂସା କିମ୍ୱା ଦୁର୍ଘଟଣାର ଫଟୋ ଓ ଭିଡିଓ ଦେଖାଇପାରିବେ ନାହିଁ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ଆଡଭାଇଜରୀ ଜାରି କରିଛି। ଯେଉଁଥିରେ ପ୍ରସାରଣ ସମୟରେ କିଛି ନିର୍ଦ୍ଦିଷ୍ଟ ବିଷୟ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।ଟେଲିଭିଜନ ଚ୍ୟାନେଲ ଦ୍ୱାରା ପ୍ରସାରଣ ହେଉଥିବା କିଛି ମାମଲା ସାମ୍ନାକୁ ଆସିବା ପରେ ଏହି ଆଡଭାଇଜରୀ ଜାରି କରିଛି ମନ୍ତ୍ରଣାଳୟ।

ମନ୍ତ୍ରଣାଳୟ କହିଛି ଯେ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଲୋକଙ୍କ ମୃତଦେହ ଓ ରକ୍ତ, ଆହତ ବ୍ୟକ୍ତିଙ୍କ ଫଟୋ/ଭିଡିଓ ଦେଖାଉଛନ୍ତି। ଏହାସହ ମହିଳା, ଶିଶୁ ଏବଂ ବୟସ୍କଙ୍କ ସମେତ ହିଂସାର ଭିଡିଓ ଦେଖାଉଛନ୍ତି। ଯେମିତିକ ପୀଡ଼ିତ କାନ୍ଦିବା, ଶିଶୁଙ୍କୁ ମାଡ଼ ମାରିବା ଭଳି ଭିଡିଓ। ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରକାର ଭିଡିଓ ଓ ଫଟୋ ନଦେଖାଇବା ପରିବର୍ତ୍ତେ ଲମ୍ୱା ସର୍ଟରେ ଚ୍ୟାନେଲଗୁଡ଼ିକ ଦେଖାଉଛନ୍ତି। ଏପରି ଘଟଣାର ରିପୋର୍ଟିଂ କରିବାର ତରିକା ଲୋକଙ୍କୁ ଖୁବ୍‌ ଚିନ୍ତାରେ ପକାଉଛି।

ଆଡଭାଇଜରୀରେ ବିଭିନ୍ନ ଘଟଣା ଉପରେ ରିପୋର୍ଟିଂର ପ୍ରଭାବକୁ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ ଏପରି ଫଟୋ ଓ ଭିଡିଓ ଛୋଟ ପିଲାଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ। ଏହା ବ୍ୟକ୍ତିଗତ ଗୋପନୀୟତାକୁ ମଧ୍ୟ ହାନି ପହଞ୍ଚାଉଛି। ଏହା ସହ ଆଡଭାଇଜରୀରେ ଆହୁରି କୁହାଯାଇଛି ଯେ ଟେଲିଭିଜନ ଏମିତି ଏକ ପ୍ଲାଟଫର୍ମ, ଯାହାକୁ ପରିବାର ସମସ୍ତ ଲୋକ ଏକାଠି ବସି ଦେଖିଥାନ୍ତି, ତେଣୁ ଏ ପ୍ରକାର ଭିଡିଓ ଦେଖାଇବା ଉଚିତ୍‌ ନୁହେଁ।

ମନ୍ତ୍ରଣାଳୟ ଜାଣିବାକୁ ପାଇଛି ଯେ ଅନେକ ମାମଲାର ଭିଡିଓ ସୋସିଆଲ ମିଡିଆରୁ ନିଆଯାଉଛି। ଏଗୁଡ଼ିକ ପ୍ରୋଗ୍ରାମ କୋଡର ଅନୁପାଳନ ଏବଂ ନିରନ୍ତରତାକୁ ନିଶ୍ଚିତ କରିବା ପାଇଁ ସମ୍ପାଦନା ଓ ଏଡିଟିଂ କରାନଯାଇ ପ୍ରସାରଣ କରାଯାଉଛି। ମନ୍ତ୍ରଣାଳୟ ନିକଟରେ ପ୍ରସାରିତ ବିଷୟବସ୍ତୁର ଏକ ଉଦାହରଣ ମଧ୍ୟ ପ୍ରକାଶ କରିଛି।

ଏପରି ପ୍ରସାରଣ ଉପରେ ଉଦ୍ବେଗ ପ୍ରକାଶ କରି ମନ୍ତ୍ରଣାଳୟ କହିଛି ଯେ ବୟସ୍କ, ମହିଳା ଓ ଶିଶୁଙ୍କ ସମେତ ଦର୍ଶକଙ୍କ ରୁଚିକୁ ଦୃଷ୍ଟିରେ ରଖି ପ୍ରସାରଣ ଉପରେ ଧ୍ୟାନ ଦିଆଯାଉ। ମନ୍ତ୍ରଣାଳୟ ସମସ୍ତ ବେସରକାରୀ ଟେଲିଭିଜନ ଚ୍ୟାନେଲଗୁଡ଼ିକୁ ଦୃଢ଼ ଭାବରେ ପରାମର୍ଶ ଦେଇଛି ଯେ ସେମାନେ ଚ୍ୟାନେଲର ବ୍ୟବସ୍ତା ଏବଂ ରିପୋର୍ଟିଂର ତରିକାକୁ ଧ୍ୟାନରେ ରଖିବେ।

Related Posts