ଭୁବନେଶ୍ୱର: ଓଡିଶା ମୁହାଁ ମୌସୁମୀ | ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଏହାର ପ୍ରାକ୍ ସଙ୍କେତ ଦେଲାଣି | ଫଳରେ ଆସନ୍ତା ୨୪ ଘଣ୍ଟା ଭିତରେ ଯେ କୌଣସି ସମୟରେ ମୌସୁମୀ ଓଡ଼ିଶା ମାଟି ଛୁଇଁବା ନେଇ ସମ୍ଭାବନା ଦେଖାଦେଲାଣି | ତେବେ ଚିନ୍ତାର ବିଷୟ ହେଲା, ଆରମ୍ଭରୁ ମୌସୁମୀ ଭଲ ବର୍ଷା ଦେବନି । ତୃତୀୟ ସପ୍ତାହ ବେଳକୁ ମୌସୁମୀ ପ୍ରବାହ ଅଧିକ ସକ୍ରିୟ ହେବା ସହ ରାଜ୍ୟରେ ବର୍ଷା ବଢ଼ିବ ।
ପାଣିପାଗ ବିଭାଗ କହିଛି, ମୌସୁମୀ ବୁଧବାର ଆନ୍ଧ୍ର ପ୍ରଦେଶ ଉପକୂଳରେ ପ୍ରବେଶ କରିଛି । ଓଡ଼ିଶାରେ ମୌସୁମୀ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ସମ୍ଭବତଃ ୨୪ରୁ ୪୮ ଘଣ୍ଟା ଭିତରେ ମୌସୁମୀ ଓଡ଼ିଶାର କିଛି ଅଞ୍ଚଳକୁ ଛୁଇଁପାରେ । ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁପାରେ । ଆଇଏମଡି ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ଓଡ଼ିଶାରେ ବର୍ଷା ବଢ଼ିବ । ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।
ବରିଷ୍ଠ ପାଣିପାଗ ବୈଜ୍ଞାନିକ ତଥା ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଦିନେ ଦୁଇଦିନରେ ମୌସୁମୀ ଓଡ଼ିଶା ଛୁଇଁବ । ମାତ୍ର ଆରମ୍ଭରୁ ମୌସୁମୀ ପ୍ରବାହ ସେତେ ଶକ୍ତିଶାଳୀ ରହିବ ନାହିଁ। ତେଣୁ ମୌସୁମୀ ଆଗମନ ସତ୍ତେ୍ୱ ଏବେ ଭଲ ବର୍ଷା ସମ୍ଭାବନା କମ୍ । କେବଳ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ। ମୌସୁମୀ ପ୍ରବାହ ସକ୍ରିୟ ହେଲାବେଳକୁ ଜୁନ୍ ୨୨/୨୩ ତାରିଖ ହୋଇଯିବ । ତା’ପରେ ବର୍ଷା ବଢ଼ିବ ଓ ଅଧିକ ହେବ।
ଗତ ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ବର୍ଷା ହୋଇଛି । ଅନୁମାନ କରାଯାଉଛି, ବର୍ତ୍ତମାନ ପ୍ରତିଦିନ ବହୁ ସ୍ଥାନରେ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଗୁରୁବାର ଆଭ୍ୟନ୍ତରୀଣ ଓଡ଼ିଶା ସହ ଗଞ୍ଜାମ, ଗଜପତି ସହ ଅଳ୍ପ କେତେକ ଜାଗାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଆସନ୍ତା ୩ ଦିନ ଭିତରେ ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରୀ କମିପାରେ । ବୁଧବାର କେବଳ ବଲାଙ୍ଗିର ଓ ଟିଟିଲାଗଡ଼ରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ବାକି ସବୁଠି ତାତି କମିଛି । ବଲାଙ୍ଗିର ତାପମାତ୍ରା ୪୧.୨ ଡିଗ୍ରୀ ସେଲସିୟସ୍ ଓ ଟିଟିଲାଗଡ଼ରେ ପାରଦ ୪୦.୪ ଡିଗ୍ରୀ ଥିଲା ।





