ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ସ୍ପେସ୍ ରକେଟ୍ ମିଶନ ଚନ୍ଦ୍ରଯାନ-୩ ଉତକ୍ଷେପଣ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜୁଲାଇ ୧୩ ତାରିଖରେ ଚନ୍ଦ୍ରଯାନ-୩ ଲଞ୍ଚ୍ କରାଯିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ମୁଖ୍ୟ ଏସ୍. ସୋମନାଥ । ଯଦି ଜୁଲାଇ ୧୩ ତାରିଖରେ କୌଣସି କାରଣରୁ ମିଶନ ବାତିଲ କରାଯାଏ ତେବେ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ରିଜର୍ଭ ଡେ’ ଭାବେ ରଖାଯାଇଛି । ଅର୍ଥାତ୍ ଜୁଲାଇ ୧୯ ତାରିଖ ମଧ୍ୟରେ ଯେକୌଣସି ଦିନ ଚନ୍ଦ୍ରକୁ ଯାତ୍ରା କରିବ ଚନ୍ଦ୍ରଯାନ-୩ ।
ଇସ୍ରୋ ମୁଖ୍ୟ ଏସ୍. ସୋମନାଥ କହିଛନ୍ତି, ‘ଚନ୍ଦ୍ରରେ ସଫ୍ଟ ଲାଣ୍ଡିଂ କରିବାକୁ ସକ୍ଷମ ହେବୁ । ଲଞ୍ଚ ପାଇଁ ପ୍ରଥମ ତାରିଖ ଭାବେ ଜୁଲାଇ ୧୩କୁ ଧାର୍ଯ୍ୟ କରାଯାଇଛି । ସମୟ ସୀମାକୁ ଜୁଲାଇ ୧୯ ଯାଏଁ ରଖାଯାଇଛି’।
ଚନ୍ଦ୍ରଯାନ-୩ ହେଉଛି ଭାରତର ସବୁଠାରୁ ଓଜନିଆ ଯାନ । ଚନ୍ଦ୍ର ଅଭିଯାନ ବା ମୁନ୍ ମିଶନରେ ସାମିଲ ଥିବା GSLV Mk-III ଏହାକୁ ଚନ୍ଦ୍ରପୃଷ୍ଠର କକ୍ଷ ପଥକୁ ନେଇଯିବ । ଚନ୍ଦ୍ରଯାନ ସିରିଜର ଏହା ତୃତୀୟ ସଂସ୍କରଣ ହୋଇଥିବା ବେଳେ ଚନ୍ଦ୍ରର କକ୍ଷ ପଥରେ ସଫ୍ଟ ଲାଣ୍ଡିଂ କରିବାକୁ ଲକ୍ଷ ରଖାଯାଇଛି । ପୂର୍ବରୁ କେବଳ ୩ଟି ଦେଶ ଚନ୍ଦ୍ରପୃଷ୍ଠରେ ମହାକାଶ ଯାନ ଅବତରଣ କରିବାକୁ ସକ୍ଷମ ହୋଇଛନ୍ତି । ଆମେରିକା, ଚୀନ ଓ ଋଷିଆ ଚନ୍ଦ୍ରପୃଷ୍ଠରେ ସଫଳତା ପାଇଥିବା ବେଳେ ୪ର୍ଥ ଦେଶ ଭାବେ ଭାରତ ଏହି ମାଇଲଷ୍ଟୋନ୍ ଛିଡା କରିବାକୁ ଯାଉଛି । ଚନ୍ଦ୍ରଯାନ-୩ ସହିତ ଏକ ଲାଣ୍ଡର୍ ଓ ରୋଭର୍ ମଧ୍ୟ ଲଞ୍ଚ କରିବ ଇସ୍ରୋ । ଏହା ସହିତ ଚନ୍ଦ୍ରଯାନ-୨ ପାଇଁ ବ୍ୟବହାର କରାଯାଇଥିବା ଅର୍ବିଟର୍କୁ ମଧ୍ୟ ବ୍ୟବହାର କରିବ ଚନ୍ଦ୍ରଯାନ-୩ । ଯାହାକି ଏବେ ଚନ୍ଦ୍ର ଚାରିପାଖରେ ପରିକ୍ରମା କରୁଛି।
ସୂଚନାଯୋଗ୍ୟ ଯେ, ୨୦୧୯ ସେପ୍ଟେମ୍ବରରେ ଚନ୍ଦ୍ରଯାନ-୨ ଅଭିଯାନ ସମୟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭାରତ ପାଇଁ ଏହା ଏକ ବଡ଼ ଝଟକା ଥିଲା। ଚନ୍ଦ୍ରରେ ଅବତରଣ ପାଇଁ ଆମର ପ୍ରଥମ ପ୍ରୟାସ ବିଫଳ ହୋଇଥିଲା। ଏହାପରେ ଚନ୍ଦ୍ରଯାନ-୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। କିନ୍ତୁ ଏଥର ଚନ୍ଦ୍ରଯାନ ସଫଳତାର ସହ ଓହ୍ଲାଇବାକୁ ସକ୍ଷମ ହେବ ବୋଲି ଇସ୍ରୋ ମୁଖ୍ୟ ଆଶା କରିଛନ୍ତି ।





