ଭୁବନେଶ୍ଵର,୨୫/୨(ସତ୍ୟପାଠ ବ୍ୟୁରୋ): ପ୍ରଧନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରଣକ୍ଷେତ୍ର ପାଲଟିଲା ଗ୍ରାମସଭା। ନେତାଙ୍କୁ ମାଡ଼ ମାରିଲେ ଜନତା। ସର୍ବ ସମ୍ମୁଖରେ ଏହି ହାଇଡ୍ରାମା ଚାଲିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍କୁ ନାକେଦମ ହେବାକୁ ପଡ଼ିଛି। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାଣ୍ଡେରା ପଂଚାୟତ କାର୍ଯ୍ୟାଳୟ ନିକଟରେ ଗତକାଲି ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।
ଏହି ଗ୍ରାମସଭାରେ ସତ୍ୟବାଦୀ ବର୍ତ୍ତମାନର ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିକ୍ରମ ଜେନାଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ବହୁ ସଂଖ୍ୟାରେ ସାଧାରଣ ଲୋକେ ଉପସ୍ଥିତ ଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହେଉଥିବା କିଛି ଲୋକ ଅଭିଯୋଗ କରିଥିଲେ। ଏହାକୁ ନେଇ ହଠାତ କଥା କଟା କାଟି ଯୁକ୍ତିତର୍କ ହେବା ଆରମ୍ଭ ହେଲା ଓ ପରେ ତାହା ଉଗ୍ର ରୂପ ନେଲା । ଉପଯୁକ୍ତ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ପାଇବାରୁ ବଞ୍ଚିତ ହେଉଥିବା ବେଳେ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଲାଭ ଉଠାଉଛନ୍ତି । ଏପରିକି ଏହି ତ୍ରୁଟିରେ ସୁଧାର ଆଣିଲେ ବି ପ୍ରଶାସନିକ ଅଧିକାରୀ ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।
ଏହାପରେ ପୁଞ୍ଜୀଭୂତ ଅସନ୍ତୋଷକୁ ନେଇ ଲୋକେ ତାତିଲେ ଓ ଗୋଡ଼ାଇ ଗୋଡ଼ାଇ ନେତାଙ୍କୁ ମାଡ଼ ମାରିଲେ। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଜେଡି ନେତା ବିକ୍ରମ ଜେନା ଗୁରୁତର ହୋଇ ପଡ଼ିଥିଲେ। ଖବର ପାଇ ସତ୍ୟବାଦୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ମାତ୍ର ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍କୁ ନାକେଦମ ହେବାକୁ ପଡ଼ିଲା। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ପୁଲିସ୍ ବିକ୍ରମ ଜେନାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ସାକ୍ଷୀଗୋପାଳ ମେଡିକାଲ ଓ ପରେ ପୁରୀ ସ୍ଥାନାନ୍ତର କରାଯାଇଛି।
ବିକ୍ରମ ଜେନାଙ୍କ ଅଭିଯୋଗ ଆଧାରରେ ସତ୍ୟବାଦୀ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ପୁଲିସ୍ କାହାକୁ ଗିରଫ କରିନି।





