ରାଜ୍ୟରେ ଧାନ ବିହନ ଉତ୍ପାଦନ ଓ ଯୋଗାଣ ବର୍ଷକୁ ବର୍ଷ କମୁଛି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଧାନ ଉତ୍ପାଦନ କ୍ଷେତ୍ରରେ ବାରମ୍ବାର ଜାତୀୟ ସ୍ତରରେ ପୁରସ୍କୃତ ହେଉଥିବା ଆମ ରାଜ୍ୟରେ ଧାନ ବିହନ ଉତ୍ପାଦନ ଓ ଯୋଗାଣ ହ୍ରାସ ପାଇବାରେ ଲାଗିଛି । ଏଭଳି ସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ଧାନ ବିହନ ପାଇଁ ଓଡିଶାକୁ ପୂର୍ବଭଳି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ବୋଲି ଚାଷୀମାନେ ଏବେ ଆଶଙ୍କା କଲେଣି ।

କୃଷି ବିଭାଗ ଅଧିନରେ ଥିବା ରାଜ୍ୟ ବିହନ ନିଗମ ହାତରେ ରହିଛି ଓଡିଶାର ଧାନଚାଷୀମାନଙ୍କୁ ଉନ୍ନତମାନର ଧାନ ବିହନ ଯୋଗାଣ ଦାୟିତ୍ୱ। ନିଗମ ପଞ୍ଜିକୃତ ବିହନଚାଷୀମାନଙ୍କୁ ପିଣ୍ଡ ବିହନ ଯୋଗାଇବା ସହିତ ସେମାନଙ୍କ ଉତ୍ପାଦିତ ପ୍ରମାଣିକ ବିହନକୁ ସଂଗ୍ରହ କରି ଚାଷୀମାନଙ୍କୁ ଯୋଗାଇଥାଏ । ତେବେ ରାଜ୍ୟରେ ଏବେ ବିହନ ଯୋଗାଣ ହ୍ରାସ ପାଇବାରେ ଲାଗିଛି । ୨୦୨୦ ମସିହାରେ ବିହନ ନିଗମ ୫.୨୦ଲକ୍ଷ କୁଇଣ୍ଟାଲ ଉନ୍ନତମାନର ଧାନ ବିହନ ଯୋଗାଣ କରିଥିବାବେଳେ ୨୦୨୨ରେ ଏହା ୩.୩୦ଲକ୍ଷ କୁଇଣ୍ଟାଲକୁ ହ୍ରାସ ପାଇଥିଲା । ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଏହା ୧.୭୦ଲକ୍ଷ କୁଇଣ୍ଟାଲ ହୋଇଛି । ଏ ବର୍ଷ ବିହନ ଯୋଗାଣ ୨ଲକ୍ଷ କୁଇଣ୍ଟାଲ ଟପିବା ମୁସ୍କିଲ ହୋଇଯିବ ବୋଲି ବିହନ ଚାଷୀମାନେ କହୁଛନ୍ତି ।

ରାଜ୍ୟରେ ବିହନ ଯୋଗାଣ ପରିମାଣ ହ୍ରାସ ପାଉଥିବାବେଳେ ବିହନଚାଷ ହେଉଥିବା ଜମିର ପରିମାଣ ମଧ୍ୟ ସେହି ଅନୁପାତରେ ହ୍ରାସ ପାଇବାରେ ଲାଗିଛି । ୨୦୨୦ ଖରିଫ ଋତୁରେ ରାଜ୍ୟରେ ୨୨ହଜାର ହେକ୍ଟର ଜମିରେ ଧାନ ବିହନ ଚାଷ ହୋଇଥିବାବେଳେ ୨୦୨୧ ରେ ଏହା ୨୦ହଜାର ହେକ୍ଟର ତକୁ ହ୍ରାସ ପାଇଥିଲା । ୨୦୨୨ ରେ ଏହା ୧୬ହଜାର ହେକ୍ଟରକୁ ହ୍ରାସ ପାଇଛି ।

ଗୋଟିଏ ପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ଅମଳକ୍ଷମ ଓ ଜଳବାୟୁ ସହନଶୀଳ ଧାନ ବିହନ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଥିବାବେଳେ ଅନ୍ୟ ପଟେ ରାଜ୍ୟରେ ଧାନ ବିହନ ଉତ୍ପାଦନ ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି । ଅବସ୍ଥା ଏଭଳି ହେଲାଣି ଯେ ରାଜ୍ୟର ଆଗଧାଡିର ଧାନ ବିହନ ଉତ୍ପାଦନକାରୀମାନେ ଏ କ୍ଷେତ୍ରରୁ ମୁହଁ ଫେରାଇବାରେ ଲାଗିଛନ୍ତି ।

ତେବେ ଧାନ ବିହନ ଯୋଗାଣ ହ୍ରାସ ପାଇଁ ସରକାର ଲାଗୁ କରିଥିବା ଡିବିଟି ଓ ଓଟିପି ବ୍ୟବସ୍ଥା ଅନ୍ୟତମ କାରଣ ବୋଲି ବିହନ ଚାଷୀମାନେ ଅଭିଯୋଗ କରୁଛନ୍ତି । ସେମାନଙ୍କ ମତରେ ପୂର୍ବରୁ ସିଧାସଳଖ ସବସିଡ ସମୟରେ ଅଧିକ ପରିମାଣରେ ବିହନ ବିକ୍ରି ହେଉଥିଲା । ହେଲେ ଯେବେଠାରୁ ଚାଷୀମାନଙ୍କ ଲାଗି ଡିବିଟି ଓ ଓଟିପି ବ୍ୟବସ୍ଥା ହେଲା ସେବେଠାରୁ ଚାଷୀମାନେ ସରକାର ଯୋଗାଉଥିବା ଉନ୍ନତମାନର ବିହନ ଠାରୁ ମୁହଁ ଫେରାଇଲେ । ବିଶେଷକରି ଗାଁ ଗହଳର ଚାଷୀମାନେ ବ୍ୟାଙ୍କ୍‍ ଆକାଉଣ୍ଟକୁ ଅର୍ଥ ଯିବା ଓ ମୋବାଇଲ୍‍ ଓଟିପି ଝାମେଲାରେ ପଶିବାକୁ ଚାହିଁଲେ ନାହିଁ ।

ଏହି ଧାରା ଜାରି ରହିଲେ ବିହନ ଚାଷୀମାନେ ଧାନ ବିହନ ଉତ୍ପାଦନରୁ ସମ୍ପୂର୍ଣ୍ଣ ମୁହଁ ଫେରାଇବେ ଏବଂ ରାଜ୍ୟ ସରକାର ପୂର୍ବଭଳି ଧାନ ବିହନ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବେ । ସେତେବେଳେ ଚଢା ଦରରେ ଖରିଦ କରୁଥିବା ଧାନ ବିହନ ଉପରେ ସରକାରଙ୍କୁ ବିପୁଳ ପରିମାଣର ସବସିଡ୍‍ ଦେବାକୁ ପଡିବ ବୋଲି ବିହନ ଚାଷୀମାନେ ମତପୋଷଣ କରୁଛନ୍ତି ।

Related Posts