ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ; ବେଢ଼ା ଭିତରର ଭିଡିଓ ଭାଇରାଲ୍, ସିଂହଦ୍ଵାର ଥାନାରେ ମାମଲା ରୁଜୁ

ଭୁବନେଶ୍ୱର, ୨୬/୦୬ (ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ। ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ବେଢାର ଭିଡିଓ ଭାଇରାଲ୍। ଶ୍ରୀମନ୍ଦିର ଭିତରେ ରିଲ୍ସ କରି ଇନଷ୍ଟାଗ୍ରାମ ଆଇଡିରେ ଭିଡିଓ ଅପଲୋଡ଼ ହୋଇଛି। ରୋହିତ୍ ଜଏସୱାଲ୍ ନାମକ ଜଣେ ଯୁବକ ସୋସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ଼ କରିଛନ୍ତି। ଶ୍ରୀମନ୍ଦିର ବେଢାରେ ଥିବା ନୃସିଂହ ମନ୍ଦିର ସମ୍ମୁଖରେ ଓ ସ୍ନାନମଣ୍ଡପ ନିକଟରେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ଼ କରଛନ୍ତି ସମ୍ପୃକ୍ତ ଯୁବକ।

ସେପଟେ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ୍ ଘଟଣାରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଘଟଣାରେ ରୋହିତ ଜଏସଓ୍ଵାଲଙ୍କ ଉପରେ ମାମଲା ରୁଜ୍ଜୁ କରିଛି ସିଂହଦ୍ଵାର ଥାନା ପୋଲିସ। ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ସିଂହଦ୍ଵାର ଥାନାରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଥାନାରେ ହାଜର ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।

ଶ୍ରୀମନ୍ଦିର ଚାରି ଦ୍ବାରରେ କ୍ୟାମେରା ଓ ମୋବାଇଲ ଫୋନ୍ ଭିତରକୁ ଯିବା ଉପରେ କଟକଣା ଲାଗିଥିବା ବେଳେ ସୁରକ୍ଷାକର୍ମୀଙ୍କ ଯାଞ୍ଚ ପ୍ରକ୍ରିୟା କୋହଳ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ବାରଣ ଥିବାବେଳେ ଏହି ଯୁବକ ଜଣକ କିଭଳି ସେଠାରେ ରିଲ୍ସ କଲେ ସେନେଇ ମଧ୍ୟ ଭକ୍ତଙ୍କ ମହଲରେ ପ୍ରଶ୍ନ ଉଠିଛି। କିଛି ଅସାଧୁ ସେବାୟତ ସେମାନଙ୍କ ଯାତ୍ରୀଙ୍କୁ ଶ୍ରୀମନ୍ଦିର ଭିତରକୁ ନେଉଥିବା ବେଳେ ସୁରକ୍ଷାକର୍ମୀ ମାନେ ସେମାନଙ୍କୁ ଯାଞ୍ଚ କରୁନଥିବାରୁ ଏଭଳି ଘଟଣା ଘଟୁଛି ବୋଲି ଚର୍ଚ୍ଚା ହେଉଛି।

Related Posts