“ଯାଜପୁର ଜିଲ୍ଲା ବିଛାଖଣ୍ଡି ପାହାଡ଼ରେ ୧୦୦୦ କୋଟି ଟଙ୍କାର କଳାପଥର ଦୁର୍ନୀତିର ମୁଖ୍ୟ କାର୍ପଟଦାର ବରିଷ୍ଠ IAS ଅଧିକାରୀ ରଞ୍ଜନ କୁମାର ଦାସ”: ସୂଚନା ଅଧିକାର ଅଭିଯାନ
ଭୁବନେଶ୍ୱର,୫/୫(ସତ୍ୟପାଠ ବ୍ୟୁରୋ): ପୁରୀ ଶ୍ରୀମନ୍ଦିରର ନବନିଯୁକ୍ତ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ପାଇଁ ବଢ଼ିଲା ଅଡୁଆ । ଯାଜପୁର ଜିଲ୍ଲାରେ ଜିଲ୍ଲାପାଳ ଥିବାବେଳେ ରଞ୍ଜନ କୁମାର ଦାସଙ୍କ ନାଁ ରେ ବିଛାଖଣ୍ଡି ପାହାଡ଼ରେ ଶହ ଶହ କୋଟି ଟଙ୍କାର କଳାପଥର ଦୁର୍ନୀତିରେ ସମ୍ପୃକ୍ତି ଥିବାର ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । କଳାପଥର ଖାଦାନ ପାଇଁ ବେଆଇନ ଭାବରେ ଲିଜଧାରୀଙ୍କୁ ସୁରକ୍ଷା ଏବଂ ସହଯୋଗ କରିବାର ଗୁରୁତର ଅଭିଯୋଗ ଆଣିଛି ସୂଚନା ଅଧିକାର ଅଭିଯାନ। ରଞ୍ଜନଙ୍କ ବାବଦରେ ସବୁଠାରୁ ଭୟଙ୍କର ତଥ୍ୟ ଭିଜିଲାନ୍ସ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏପରିକି ଭିଜିଲାନ୍ସ ରିପୋର୍ଟରେ ଅଭିଯୁକ୍ତ ତାଲିକାର ୧ ନମ୍ବର ଅଭିଯୁକ୍ତ ଭାବେ ରଞ୍ଜନ ଦାସଙ୍କୁ ଦର୍ଶାଯାଇଛି ।
ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ନିକଟସ୍ଥ ବିଛାଖଣ୍ଡି ପାହାଡ଼ରେ ଦୀର୍ଘଦିନ ଧରି ଖଣି ବେପାରୀଙ୍କ ଦ୍ୱାରା ଚାଲିଥିବା ବେଧଡ଼କ କଳାପଥର ଚୋରିର ତଦନ୍ତ କରି ରାଜ୍ୟ ଭିଜିଲାନ୍ସ ଏହି ଚୋରୀ ଯୋଗୁ ୨୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ବୋଲି ବୋଲି ଏକ ରିପୋର୍ଟ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଛି । ଲୋକାୟୁକ୍ତ ଏହି ରିପୋର୍ଟ ଆଧାରରେ ଏହି ହରିଲୁଟ୍ରେ ସମ୍ପୃକ୍ତ ତତ୍କାଳୀନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ପୂର୍ବତନ ଧର୍ମଶାଳା ତହସିଲଦାର ପ୍ରଭାସ କୁମାର ବେହୁରା, ଶ୍ରୀମତୀ ଶୀତଳ ଅଗ୍ରୱାଲ, ସରୋଜ କୁମାର ପଣ୍ଡା, ପୂର୍ବତନ ରାଜସ୍ୱ ନିରୀକ୍ଷକ ଶ୍ରୀ ବୀରକିଶୋର ମହାରଣା, ସୁଶାନ୍ତ କୁମାର ସ୍ୱାଇଁଙ୍କ ସମେତ ଆଠଜଣ ଲିଜ୍ଧାରୀଙ୍କୁ ଆସନ୍ତା ଜୁନ ୨୩ ତାରିଖ ମଧ୍ୟାରେ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଛନ୍ତି । ତେବେ ବିଜେଡି ସରକାରରେ ଯାଜପୁର ଜିଲ୍ଲାର ଇତିହାସରେ ଏହା ସବୁଠାରୁ ବଡ଼ ଧରଣର ଲୁଟ୍ ବୋଲି ସୂଚନା ଅଧିକାର କର୍ମୀ ଶ୍ରୀ ପ୍ରଦୀପ ପ୍ରଧାନ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨୦୧୬ ମସିହାରୁ ବିଛାଖଣ୍ଡି ପାହାଡ଼ରେ ଚାଲିଥିବା ବ୍ୟାପକ କଳାପଥର ଲୁଟ୍ ସମ୍ପର୍କରେ ସୂଚନା ଅଧିକାର କର୍ମୀ ଶ୍ରୀ ସର୍ବେଶ୍ୱର ବେହୁରା ସର୍ବପ୍ରଥମେ ଲୋକଲୋଚନକୁ ଆଣିଥିଲେ । ସୂଚନା ଅଧିକାର ଆଇନ ବଳରେ କଟକସ୍ଥିତ ଡି.ଏଫ୍.ଓ.ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୮୯୦ ଏକର ଜମି ଉପରେ ଅବସ୍ଥିତ ଏହି ବିଛାଖଣ୍ଡି ସଂରକ୍ଷିତ ଜଙ୍ଗଲ ମଧ୍ୟରେ କଳାପଥର ଖଣି ଲିଜ୍ ଦେବାପାଇଁ କେନ୍ଦ୍ର ସରକାର କୌଣସି ଅନୁମତି ଦେଇନାହାନ୍ତି । ଖଣି ମାଫିଆମାନେ ବେଆଇନ ଭାବେ ଶହଶହ ଟନ୍ କଳାପଥର ଚୋରି କରୁଛନ୍ତି ବୋଲି ଡି.ଏଫ୍.ଓ. ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ । ସୂଚନା ଅଧିକାର ଆଇନ ବଳରେ ଧର୍ମଶାଳା ତହସିଲରୁ ମିଳିଥିବା ତଥ୍ୟ ଅନୁଯାୟୀ, ଉକ୍ତ ଅଞ୍ଚଳରେ ଖଣି ଖନନ ପାଇଁ କୌଣସି ବ୍ୟକ୍ତିଙ୍କୁ ଲିଜ୍ ଦିଆଯାଇ ନାହିଁ ଏବଂ ଯେଉଁ ଖଣି ଖନନ ଚାଲିଛି ତାହା ସମ୍ପୂର୍ଣ୍ଣ ବେଆଇନ ।
ଏହି ତଥ୍ୟ ହାସଲ ପରେ ଶ୍ରୀ ସର୍ବେଶ୍ୱର ବେହୁରା ଗତ ୨୦୧୯ ମସିହା ଜୁଲାଇ ୧୨ ତାରିଖରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କୁ ଅଭିଯୋଗ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିବେଦନ କରିଥିଲେ । ଏହି ଖଣି ହରିଲୁଟ୍ ଶାସକ ଦଳର ଇଙ୍ଗିତରେ ଏବଂ ସ୍ଥାନୀୟ ବିଧାୟକଙ୍କ ନିର୍ଦ୍ଦେଶର ବିଜେଡି ଦଳର ଖଣି ମାଫିଆମାନଙ୍କ ଦ୍ୱାରା ହେଉଥିବାରୁ ପ୍ରଶାସନିକ ଅଧିକାରୀମାନେ ଏହାକୁ ନେଇ ନୀରବଦ୍ରଷ୍ଟା ସାଜିଥିଲେ । ଏହାପରେ ୨୦୧୯ ମସିହା ମାର୍ଚ୍ଚ ୨୮ ତାରିଖରେ ତତ୍କାଳୀନ ଧର୍ମଶାଳା ତହସିଲଦାର, ଡି.ଫ୍.ଓ. କଟକଙ୍କୁ ଚିଠି ଲେଖି ଉକ୍ତ ବିଛାଖଣ୍ଡି ପାହାଡ଼ ଚାରିପାଖରେ ଚାଲିଥିବା କ୍ରସର୍ ୟୁନିଟ୍ ଏବଂ ବେଆଇନ ଖଣି ଖନନ ସମ୍ପର୍କରେ ରିପୋର୍ଟ ଦେବାକୁ କହିବା ସହ ଏହି ବେଆଇନ ଖଣି ଖନନ ବନ୍ଦ ପାଇଁ ପଦକ୍ଷେପ ନେବାକୁ କହିଥିଲେ । ଗତ ୨୦୧୯ ମସିହା ଫେବୃୟାରୀ ୮ ତାରିଖରେ ଡି.ଏଫ୍.ଓ. କଟକ ଯାଜପୁର ଜିଲ୍ଳାପାଳ ରଞ୍ଜନ କୁମାର ଦାସଙ୍କୁ ଚିଠି ଲେଖି ବିଛାଖଣ୍ଡି ପାହାଡ଼ରେ ଚାଲିଥିବା ବେଆଇନ କଳାପଥର ଖନନ ଏବଂ କ୍ରସର ୟୁନିଟ୍ ଗୁଡ଼ିକୁ ସମ୍ପର୍କରେ ଅବଗତ କରାଇଥିଲେ ।
ଶ୍ରୀଯୁକ୍ତ ସର୍ବେଶ୍ୱର ବେହୁରା ସୂଚନା ଅଧିକାର ଆଇନରେ ଜିଲ୍ଲାପାଳଙ୍କ ଦପ୍ତରରୁ ଜାଣିବାକୁ ପାଇଲେ ଯେ, ଜିଲ୍ଲାପାଳ ୧୨ଟି କ୍ରସର୍ ୟୁନିଟ୍ ଚାଲିବା ପାଇଁ ଅନୁମତି ଦେଇଛନ୍ତି। ବିଛାଖଣ୍ଡି ପାହାଡ଼ରେ ଚାଲିଥିବା କଳାପଥର ଚୋରୀକୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଶ୍ରୀ ବେହୁରା ୨୦୨୧ ମସିହା ଫେବୃୟାରୀ ୮ ତାରିଖରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ସହ ଏହାର ତଦନ୍ତ ପାଇଁ ଦାବି କରିଥିଲେ ।
ଲୋକାୟୁକ୍ତ ଉକ୍ତ ଅଭିଯୋଗ ସଂଖ୍ୟା LY No. 120/2021କୁ ଗ୍ରହଣ କରି ଜିଲ୍ଲାପାଳ, ତହସିଲଦାରଙ୍କୁ ନୋଟିସ୍ କରିଥିଲେ । ସେମାନଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହେବାରୁ ଲୋକାୟୁକ୍ତ ରାଜ୍ୟ ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । କଳାପଥର ଖଣି ହରିଲୁଟ୍ ଏତେ ବ୍ୟାପକ ଥିଲା ଯେ, ଭିଜିଲାନ୍ସ ବର୍ଷାଧିକ ସମୟ ନେଇ ଗତ ୨୦୨୩ ମସିହା ଏପ୍ରିଲ ୨୮ ତାରିଖରେ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ଖଣିଚୋରୀର ସଠିକ୍ ଆକଳନ କରିପାରିନଥିଲେ ।
ଉକ୍ତ ଚୋରା ପଥରଖଣି ଖନନର ତଦନ୍ତ ପାଇଁ ରାଜ୍ୟ ଭିଜିଲାନ୍ସ ଭାରତ ସରକାରଙ୍କ ହାଇଦ୍ରାବାଦସ୍ଥିତ National Remote Sensing Centre, ISROର ସହାୟତା ନେଇଥିଲେ । ଉକ୍ତ ସଂସ୍ଥା ରାଜ୍ୟ ଭିଜିଲାନ୍ସକୁ ୨୦୦୫ରୁ ୨୦୨୦ ମଧ୍ୟରେ ବିଛାଖଣ୍ଡି ପାହାଡ଼ର ସାଟେଲାଇଟ୍ ଛବି ଉତ୍ତୋଳନ କରି ପ୍ରଦାନ କରିଥିଲେ । ଏହାପରେ ଉକ୍ତ ଛବିଗୁଡ଼ିକୁ ଓରସାକ୍, ଭୁବନେଶ୍ୱରକୁ ଅନୁଧ୍ୟାନ କରି ବର୍ଷୱାରୀ କେତେ ପରିମାଣର କଳାପଥର ଖନନ ହୋଇଛି, ଏହାର ତଥ୍ୟ ଦେବାକୁ ଅନୁରୋଧ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ କଳାପଥର ଖନନ ଯୋଗୁଁ ବିଛାଖଣ୍ଡି ପାହାଡ଼ରେ ବଡ଼ବଡ଼ ପୋଖରୀ ସୃଷ୍ଟି ହୋଇଛି । ଏହି ପୋଖରୀଗୁଡ଼ିକରେ ପାଣି ଭର୍ତ୍ତି ଥିବାରୁ ୨୦୦୫ରୁ ୨୦୨୦ ମଧ୍ୟରେ ଉକ୍ତ ସ୍ଥାନରେ କେତେ ପଥର ଖୋଳଯାଇଛି, ଏହା କିପରି ମପାଯିବ । ସେଥିପାଇଁ ଭିଜିଲାନ୍ସ ଓରସାକ୍ଠାରୁ ବୈଷୟିକ ସହାୟତା ଲୋଡ଼ିଥିଲା । ଓରସାକ୍ ବର୍ତ୍ତମାନ ସ୍ଥିତିକୁ ଆଧାର କରି ମପାଯାଇ ପାରିବ ବୋଳି ଜଣାଇଥିଲେ ।
୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ପଥର ଖଣି ଖନନ ପାଇଁ ଲିଜ୍ ଦିଆଯାଇଥିବା ୧୨ଟି ଲିଜ୍ ଅଞ୍ଚଳ ପରିସର ବାହାରେ ଖଣି ଲିଜ୍ଧାରୀମାନେ ଲକ୍ଷଲକ୍ଷ ଟନ୍ ପଥର ବେଆଇନ ଭାବେ ଉତ୍ତୋଳନ କରିଛନ୍ତି । ସେହିପରି ଲିଜ୍ ନଥାଇ ୪ଟି ଲିଜ୍ ସ୍ଥାନରେ ଖଣି ମାଫିଆମାନେ ଲକ୍ଷଲକ୍ଷ ଟନ୍ର ପଥର ଚୋରା ଚାଲାଣ ହୋଇଛି । ରାଜ୍ୟ ଭିଜିଲାନ୍ସ ରୟାଲଟି ବାବଦରେ ଏହି ଚୋରାଚାଲାଣରେ ହାରାହାରି ୨୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି । ସେହିପରି ଲିଜ୍ ଅଞ୍ଚଳ ବାହାରେ ବେଆଇନ ଭାବେ ଖଣି ଚୋରି କରିଥିବା ଲିଜ୍ଧାରୀମାନେ ହାରାହାରି ୧୨ କୋଟି ଟଙ୍କା ରାଜସ୍ୱ କ୍ଷତି ଘଟାଇଛନ୍ତି । କିନ୍ତୁ ଯଦି ସମସ୍ତ କଳାପଥର ଚୋରିର ବଜାର ଦରକୁ ହିସାବକୁ ନିଆଯାଏ, (୧୩୦୦ ଟଙ୍କା – ଏକ କ୍ୟୁବିକ୍ ମିଟର ପଥର) ତେବେ ୧୦୦୦ କୋଟି ଟଙ୍କା ଲୁଟ୍ ହୋଇଛି ବୋଲି ଶ୍ରୀ ସର୍ବେଶ୍ୱର ବେହୁରା ଅଭିଯୋଗ କରିଛନ୍ତି ।
ସଂରକ୍ଷିତ ଜଙ୍ଗଲରେ କେନ୍ଦ୍ର ସରକାରଙ୍କ ବିନା ଅନୁମୋଦନରେ କିପରି କଳାପଥର ଖଣି ଲିଜ୍ ଦିଆଗଲା, ଏବଂ ଚୋରି ହେଲା ଏହାବ ହୋର ତଦନ୍ତ ସହ ଡିି.ଏଫ୍.ଓ.ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶ୍ରୀ ବେହୁରା ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ମଧ୍ୟ ଚିଠି ଲେଖିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବିଛାଖଣ୍ଡି ପାହାଡ଼ରେ କଳାପଥର ଚୋରୀ ଏତେ ବ୍ୟାପକ ଯେ, ଭିଜିଲାନ୍ସ ମଧ୍ୟ ସମସ୍ତ ଖଣିର ଅନୁଧ୍ୟାନ ଏବଂ କ୍ଷତିର ମୂଲ୍ୟାୟନ କରିପାରି ନାହିଁ ବୋଲି ଶ୍ରୀ ବେହୁରା କହିଛନ୍ତି ।
ଶାସକ ଦଳର ସ୍ଥାନୀୟ ରାଜନେତା, ପ୍ରଶାସନିକ ଅଧିକାରୀ, ପୋଲିସ୍ ଅଧିକାରୀ, ଜଙ୍ଗଲ ବିଭାଗ ଅଧିକାରୀଙ୍କ ମିଳିତ ଉଦ୍ୟମ ଓ ସହାୟତାରେ ବର୍ଷବର୍ଷ ଧରି ଖଣି ମାଫିଆମାନଙ୍କ ଦ୍ୱାରା ଏତେବଡ଼ କଳାପଥର ଲୁଟ୍ ସମ୍ଭବ ହେଲା ବୋଲି ସୂଚନା ଅଧିକାର କର୍ମୀ ଶ୍ରୀ ପ୍ରଦୀପ ପ୍ରଧାନ କହିଛନ୍ତି ।





