ନବ ଦାସ ହତ୍ୟାର ତଦନ୍ତ ପାଇଁ ଏଫବିଆଇ ସହାୟତା ମାଗିନାହାଁନ୍ତି ରାଜ୍ୟ ସରକାର

ଭୁବନେଶ୍ୱର,୨୭/୫(ସତ୍ୟପାଠ ବ୍ୟୁରୋ): ଗତ ଜାନୁଆରୀ ୨୯ ତାରିଖରେ ଦିନ ଦ୍ବିପହରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କଲା ଏଏସଆଇ ଗୋପାଳ ଦାସ। ଏହାର ୧୨୮ ଦିନ ପରେ ଗତକାଲି ଏହି ମାମଲାରେ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ତେବେ ଏସବୁ ଭିତରେ ରାଜ୍ୟ ସରକାରଙ୍କ ଏକ ସାଙ୍ଘାତିକ ମିଛ ଧାରା ପଡ଼ିଯାଇଛି। କିଭଳି ଖୋଦ୍ ମୁଖ୍ୟମନ୍ତ୍ରୀ ପବିତ୍ର ବିଧାନସଭା ଗୃହକୁ ମିଛ କହିଥିଲେ ତାହା ଜଣାପଡିଛି RTI ତଥ୍ୟରୁ।

ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଏଫବିଆଇ ସହାୟତା ମାଗିନାହାଁନ୍ତି ରାଜ୍ୟ ସରକାର। ସୂଚନା ଅଧିକାରୀ କର୍ମୀ କ୍ଷିତିଶ ସିଂହଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଇଥିବା ଉତ୍ତର ରାଜ୍ୟ ସରକାରଙ୍କ ମିଛ ଏଫବିଆଇ ଗପ ଉପରୁ ପରଦା ହଟାଇଛି । ଏଫବିଆଇ ସହାୟତା ନେଇ ଓଡ଼ିଶା ସରକାରଙ୍କ କୌଣସି ପ୍ରସ୍ତାବ ପାଇନଥିବା କହିଛି କେନ୍ଦ୍ର । RTI ଆବେଦନ ଆଧାରରେ ସ୍ପଷ୍ଟୋକ୍ତି ରଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏଫବିଆଇ ତଦନ୍ତ ନେଇ ଲିଗାଲ୍ ସେଲ୍‌କୁ କୌଣସି ପ୍ରସ୍ତାବ ଆସିନଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ତେବେ ଗତ ଫେବ୍ରୁଆରୀ ୨୨ ତାରିଖରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ଦେଇ କହିଥିଲେ ଯେ, ଅଭିଯୁକ୍ତ ଗୋପାଳର ମାନସିକ ବ୍ୟବହାର ସଂପର୍କରେ ଠିକ ଭାବେ ଜାଣିବା ପାଇଁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ)ର ସହାୟତା ନିଆଯିବ। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି ମାଗିଛି ରାଜ୍ୟ କ୍ରାଇମବ୍ରାଞ୍ଚ୍। ସେହିପରି ମାର୍ଚ୍ଚ ୨୭ ତାରିଖରେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ଏ ନେଇ ଲିଖିତ ଉତ୍ତର ଦେଇଥିଲେ। ନବ ଦାସ ହତ୍ୟା କଣ୍ଡର ତଦନ୍ତରେ ଏଫବିଆଇର ସହାୟତା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଉତ୍ତରକୁ ଅପେକ୍ଷା କରାଯାଇଛି ବୋଲି ମନ୍ତ୍ରୀ ବେହେରା ଦର୍ଶାଇଥିଲେ।

ହେଲେ ଏବେ ମାମଲାର ଚାର୍ଜସିଟ୍ ଆସିଥିବା ବେଳେ ହତ୍ୟାକାଣ୍ଡର ଏଫବିଆଇ ତଦନ୍ତ ନେଇ ରାଜ୍ୟ ସରକାର ଯେଉଁ ମିଛ କହିଥିଲେ ତାହା RTI ତଥ୍ୟରୁ ଧରା ପଡ଼ିଯାଇଛି।

Related Posts