ରାଜ୍ୟ ସରକାର କିଛି କାମ କରୁନାହାନ୍ତି, ଭାବୁଛନ୍ତି ବହୁ ବିକାଶ କରୁଛନ୍ତି, କିନ୍ତୁ ବିକାଶ ହୋଇନି : ହେମାମାଳିନୀ

ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): ରାଧେ ରାଧେ କହି ଭୁବନେଶ୍ୱରର ସାଲିଆସାହି ଆଶୀର୍ବାଦ ସମାବେଶରେ ଶୁକ୍ରବାର ନିଜ ଭାଷଣ ଆରମ୍ଭ କରିଥିବା ହେମା ମାଳିନୀ ମୁମ୍ବାଇର ଧରାବୀର ଉଦାହରଣ ଦେଇ ସାଲିଆସାହିର ବିକାଶ କଥା କହିଛନ୍ତି । ଏହି ରାଜ୍ୟରେ କଂଗ୍ରେସ ଓ ବିଜେଡି ସରକାର ବହୁ ବର୍ଷ କ୍ଷମତାରେ ରହିବା ପରେ ବି ରାଜ୍ୟର ସେପରି ଆଖିଦୃଶିଆ ବିକାଶ ହୋଇନି, ବରଂ ଭ୍ରଷ୍ଟାଚାର ବଢ଼ିଛି ବୋଲି ସେ କହିଛନ୍ତି।

ରାଜ୍ୟ ସରକାର କିଛି କାମ କରୁ ନ ଥିବା ବେଳେ ଭାବୁଛନ୍ତି ବହୁ ବିକାଶ କରୁଛନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୧୮ ଲକ୍ଷ କୋଟି ଦେଇଛନ୍ତି, କିନ୍ତୁ ବିକାଶ ହୋଇନି। ଏଠାରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ ହୋଇପାରିବ । ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏଠି ସୁଭଦ୍ରା ଯୋଜନା ଲାଗୁ କରାଯିବ । ସବୁ ମହିଳାଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ମିଳିବ ବୋଲି କହିଛନ୍ତି ହେମା ମାଳିନୀ।

ସେ କହିଛନ୍ତି, ଓଡ଼ିଶାରେ ବିଜେଡି ସରକାର ୨୫ ବର୍ଷ ଶାସନରେ ରହିଥିଲେ ବି ରାଜ୍ୟର କୌଣସି ଆଖିଦୃଶିଆ ଉନ୍ନତି କରି ପାରି ନାହାନ୍ତି। ଅଥଚ ମୋଦିଜୀଙ୍କ ନେତୃତ୍ୱରେ ସମଗ୍ର ଦେଶର ନବନିର୍ମାଣ ହେଉଛି। ତେଣୁ ଓଡ଼ିଶାର ବିକାଶ ପାଇଁ ଏଠାରେ ବି ଡବଲ ଇଞ୍ଜିନ ସରକାର ଆସିବା ଦରକାର। ଏବେ ସମଗ୍ର ଦେଶରେ ପରିବର୍ତ୍ତନର ହାୱା ବହୁଛି। ତେଣୁ ଓଡ଼ିଶାରେ ବି ଏଥର ସରକାରରେ ପରିବର୍ତ୍ତନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ହେମା ମାଳିନୀ।

ହେମା ମାଳିନୀ କହିଛନ୍ତି, ଓଡ଼ିଶା ଏକ ସୁନ୍ଦର ଜାଗା। ଏହାର ସଂସ୍କୃତି ଖୁବ୍ ଉଚ୍ଚକୋଟୀର। ପର୍ଯ୍ୟଟନ କ୍ଷେତ୍ରରେ ଏଠାରେ ରହିଛି ଭରପୂର ସୁଯୋଗ। ଏହା ସତ୍ତ୍ୱେ ଏହି ରାଜ୍ୟର ଉନ୍ନତି ହୋଇ ପାରୁନି। ଏଠାରେ ଦୁର୍ନୀତି, ଭ୍ରଷ୍ଟାଚାର ବଢ଼ି ଚାଲିଥିବା ବେଳେ ବେକାରୀ ହାର ବି ବଢ଼ି ଯାଇଛି। ତେଣୁ ଏଠାରେ ସରକାରରେ ପରିବର୍ତ୍ତନ ହେବା ଆବଶ୍ୟକ।

Related Posts