ଆଗାମୀ ଦିନରେ ରାଜ୍ୟରେ ୫ହଜାର ଡାକ୍ତରଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର; ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ଵର,୨୭/୨(ସତ୍ୟପାଠ ବ୍ୟୁରୋ): ଆଜି ବିଧାନସଭା ପ୍ରଶ୍ନକାଳରେ ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ନେଇ ପ୍ରସଙ୍ଗରେ ବିଧାୟକମାନେ ଉଦବେଗ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଜ ଅଞ୍ଚଳ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକସଂଖ୍ୟକ ଡାକ୍ତର ନଥିବା ହେତୁ ବିଧାନସଭାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ। ଏନେଇ ଆଜି ସେ ଗୃହରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ୩୭ଜଣ ଡାକ୍ତର ପଦବି ରହିଛି। ମାତ୍ର ଏବେ ସେଠାରେ ମାତ୍ର ୬ଜଣ କାର୍ଯ୍ୟ କରୁଛନ୍ତି। ଅବଶିଷ୍ଟ ପଦବି କେବେ ପୂରଣ କରାଯିବ ବୋଲି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ଜାଣିବାକୁ ଜାହିଁଥିଲେ।

ଏହାର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଆଗାମୀ ଦିନରେ ରାଜ୍ୟ ସରକାର ରାଜ୍ୟରେ ୫ହଜାର ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି। ଏହି କ୍ରମରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକତା ଭିତ୍ତିରେ ଡାକ୍ତର ପଦବି ପୂରଣ କରାଯିବ।

ଅନ୍ୟପଟେ ବିଧାନସଭାର ପ୍ରଶ୍ନକାଳରେ ରାଜ୍ୟର ସରକାରୀ ମେଡିକାଲଗୁଡ଼ିକରେ ବେଡ ଅଭାଵକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। ଏନେଇ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟ ରୋଗୀ ସେବାକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ସରକାରୀ ଡାକ୍ତରଖାନାରେ ଶଯ୍ୟା ତୁଳନାରେ ରୋଗୀଙ୍କ ସଂଖ୍ୟା ବଢ଼ିଲେ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯାଉଛି। ଶଯ୍ୟା ଅଭାବରୁ କାହାକୁ ଫେରାଇ ଦିଆଯାଉ ନାହିଁ। ୨୦୧୭-୨୦୧୮ରୁ ୨୦୨୨-୨୦୨୩ ମଧ୍ୟରେ ରାଜ୍ୟର ହସ୍ପିଟାଲ ଗୁଡିକରେ ୧୭ ହଜାର ୧୩୦ରୁ ୨୫ ହଜାର ୬୫୦ ବେଡ ବୃଦ୍ଧି କରାଯାଇଛି। ଆଗାମୀ ଆର୍ଥିକ ବର୍ଷରେ ୨୧ ହଜାର ୩୪୨ ବେଡ ବଢ଼ାଇବାକୁ ନୀତିଗତ ନିଷ୍ପତ୍ତି ହୋଇଛି। ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏଭଳି ଉତ୍ତର ରଖିଛନ୍ତି।

ସେପଟେ ଏହି ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ମୋହନ ମାଝୀ ଏସସିବି ମେଡ଼ିକାଲ ବୁଲି ରୋଗୀ ସେବା ଦେଖିବା ପାଇଁ ମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ନେସନାଲ ମେଡିକାଲ କାଉନସିଲର ଗାଇଡଲାଇନ୍ ପାଳନ ହେଉ ନାହିଁ। ରାଜ୍ୟରେ ଦେଢ଼ ଲକ୍ଷ ବେଡ ଆବଶ୍ୟକ, ରୋଗୀଙ୍କୁ ବେଡ ମିଳୁନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରୀ ଅସତ୍ୟ କହୁଛନ୍ତି।

ଏହାର ଉତ୍ତରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ନିୟମ ଅନୁଯାୟୀ, ପ୍ରତି ୧୦୦୦ ଲୋକଙ୍କ ପାଇଁ ୧୦୦ ବେଡ ରହିବା କଥା। କିନ୍ତୁ ରାଜ୍ୟରେ ବର୍ତମାନ ୧୦୦୦ ଲୋକଙ୍କ ପାଇଁ ୭୧ଟି ବେଡ ଅଛି।

Related Posts