ମଣିପୁର ହିଂସା ପାଇଁ ୩ ପୂର୍ବତନ ମହିଳା ବିଚାରପତିଙ୍କୁ ନେଇ ବିଚାର ବିଭାଗୀୟ କମିଟି ଗଠନ କଲେ ସୁପ୍ରିମକୋର୍ଟ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ମଣିପୁର ହିଂସାକୁ ନେଇ ସୁପ୍ରିମକୋର୍ଟ ହାଇକୋର୍ଟର ତିନି ଜଣ ପୂର୍ବତନ ମହିଳା ଜଜଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କମିଟି ମଣିପୁରରେ ରିଲିଫ କାର୍ଯ୍ୟ ଏବଂ ହିଂସା ସଂପର୍କିତ ମାନବୀୟ ସୁବିଧାର ନିରୀକ୍ଷଣ କରିବେ। ଏନେଇ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି ଆମର ଉଦ୍ୟମ ସେଠାରେ ଆଇନ ଶୃଙ୍ଖଳା କାଏମ ରହୁ। ଏଥିପାଇଁ କମିଟି ଗଠନ କରାଯାଇଛି।

ଜାମ୍ମୁ-କାଶ୍ମୀର ହାଇକୋର୍ଟରୁ ଅବସରପ୍ରାପ୍ତ ବିଚାରପତି ଗୀତା ମିତ୍ତଲ, ଜଷ୍ଟିସ ଆଶା ମେନନ ଏବଂ ଜଷ୍ଟିସ ଶାଲିନୀ ପନସାକର ଯୋଶୀଙ୍କୁ ନେଇ ସୁପ୍ରିମକୋର୍ଟ ତିନି ଜଣିଆ ବିଚାର ବିଭାଗୀୟ ତଦନ୍ତ କମିଟି ଗଠନ କରିଛନ୍ତି। ଏହା ବ୍ୟତୀତ ସିବିଆଇ ତଦନ୍ତ ଓ ଏସଆଇଟିକୁ ନେଇ ସୁପ୍ରିମକୋର୍ଟ ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି। ସିବିଆଇ ଟିମ୍‌ରେ ସମସ୍ତ ଅଫିସର ମଣିପୁର ବାହାରର ରହିବେ। ଜଣେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ସିବିଆଇ ତଦନ୍ତର ନିରୀକ୍ଷଣ କରିବେ। ସୁପ୍ରିମକୋର୍ଟ ଏହି ଦାୟିତ୍ଵ ମହାରାଷ୍ଟ୍ରର ପୂର୍ବତନ ଡିଜିପି ତଥା ଡେପୁଟୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଦାୟିତ୍ଵ ନିର୍ବାହ କରିଥିବା ଦତ୍ତାତ୍ରେୟ ପଦସାଲଗିକରଙ୍କୁ ଦେଇଛନ୍ତି।

ସିଜେଆଇ ଦତ୍ତାତ୍ରେୟଙ୍କୁ କର୍ତ୍ତବ୍ୟନିଷ୍ଠ ଅଫିସର ଦର୍ଶାଇ କହିଛନ୍ତି ଯେ, ସେ ଏନଆଇଏରେ ରହିବା ସହିତ ନାଗାଲାଣ୍ଡରେ ମଧ୍ୟ କାମ କରିବାର ଅନୁଭବ ରଖିଛନ୍ତି। ଏଥିସହ କମିଟିରେ ସାମିଲ୍ ପୂର୍ବତନ ମହିଳା ଜଜଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ସଲିସିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତ ପାଇଁ ମୋଟ୍ ୪୨ ଏସଆଇଟି ଗଠନ କରାଯିବ ବୋଲି ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି। ଏସଆଇଟି ସେ ସବୁ କେସର ତଦନ୍ତ କରିବେ ଯାହା ସିବିଆଇକୁ ହନ୍ତାନ୍ତର କରାଯାଇ ନାହିଁ। ଏହି ସବୁ ଏସଆଇଟିର ନିରୀକ୍ଷଣ ମଣିପୁର ବାହାରର ଡିଆଇଜି ରାଙ୍କର ଅଫିସମାନେ କରିବେ। ଜଣେ ଅଫିସର ୬ଟି ଏସଆଇଟି ତଦନ୍ତର ନିରୀକ୍ଷଣ କରିବେ।

ସୋମବାର ଶୁଣାଣିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ନିଜର ପକ୍ଷ ରଖି କହିଛନ୍ତି, ଆମେ ତୃଣମୂଳ ସ୍ଥିତି ପରଖିବାକୁ ଉଦ୍ୟମ କରୁଛୁ। ଆମେ ହିଂସା ପ୍ରବଣ ମଣିପୁରରେ ଶାନ୍ତି ସ୍ଥାପନ କରିବାକୁ ଚାହୁଁଛୁ। କୌଣସି ବି ତ୍ରୁଟି ଗଭୀର ପ୍ରଭାବ ପକାଇପାରେ। ଏହା ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହାଜର ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ଏବଂ ସଲିସିଟର ଜେନେରାଲ ତୁଷାର ମେଷଟ୍ଟା ବିଚାରପତି ଜେବି ପାରଦିଓ୍ଵାଲା ଏବଂ ବିଚାରପତି ମନୋଜ ମିଶ୍ରଙ୍କ ପୀଠକୁ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ସରକାର ବହୁତ ଗମ୍ଭୀରତାର ସହ ମାମଲାର ତଦନ୍ତ କରୁଥିବା ଆଟର୍ଣ୍ଣି ଜେନେରାଲ କହିଥିଲେ।

Related Posts