ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର-ମନମୋହନ ଛକାପଞ୍ଝା ଯୋଗୁଁ ଗଠନ ହୋଇପାରୁନି ଟିମ୍

ଭୁବନେଶ୍ୱର,୧୩/୬(ସତ୍ୟପାଠ ବ୍ୟୁରୋ): ପ୍ରତି ତିନି ମାସରେ ଓଡିଶାକୁ ବିଜେଡି ମୁକ୍ତ କରିବା ସହ ଓପାଡି ବଙ୍ଗୋପସାଗରରେ ଫିଙ୍ଗି ଦେବାର ରଣ ହୁଙ୍କାର ଦେଉଥିବା ଭାରତୀୟ ଜନତା ପାର୍ଟି ଭିତରେ ଏବେ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି | ସମୀର ମହାନ୍ତିଙ୍କୁ ରାଜ୍ୟ ସଭାପତି ପଦରୁ ହଟାଇ ମନମୋହନ ସାମଲଙ୍କୁ ନୂଆ ସଭାପତି ଭାବେ ଦାଇତ୍ୱ ନେବାର ପ୍ରାୟ ଦୁଇ ମାସ ବିତି ଗଲାଣି | କିନ୍ତୁ ମନମୋହନଙ୍କ ସ୍ଥିତି ଦଳ ଭିତରେ ଏବେ ଅତି ଦୟନୀୟ | ବାହାରକୁ ସାଧାରଣ କର୍ମୀ ଓ ନେତା ଜାଣି ପାରୁ ନାହାନ୍ତି କିନ୍ତୁ ପାର୍ଟି ହେଡ଼କ୍ୱାଟର ଭିତରେ ଯେଉଁ ମାନେ ଦଳୀୟ ରାଜନୀତି ସହିତ ଜଡିତ ରହିଛନ୍ତି ସେମାନେ ଜାଣି ସାରିଲେଣି ଯେ ମନମୋହନ ଏବେ ଅସହାୟ ସ୍ଥିତିରେ |

ଦୁଇ ମାସ ବିତିଗଲା ପରେ ବି ମନମୋହନ ଏପର୍ଯ୍ୟନ୍ତ ତାଙ୍କର ଟିମ ତିଆରି କରିପାରିଲେ ନାହିଁ | ଆଉ କେଇ ମାସ ପରେ ନିର୍ବାଚନ ଥିବାବେଳେ ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା ଠୁ ନେଇ ରାଜ୍ୟ କାର୍ଯ୍ୟକାରିଣୀ ପର୍ଯ୍ୟନ୍ତ ଗୋଟିଏ ବି ନୂଆ କରି ଗଢ଼ା ହୋଇପାରିଲା ନାହିଁ | ମନମୋହନଙ୍କ ଅସହାୟତାକୁ ନେଇ ଯେଉଁ ଆଲୋଚନା ହେଉଛି ଯେ ସମୀର ମହାନ୍ତିଙ୍କୁ ହଟାଇ ମନମୋହନଙ୍କୁ ନିଯୁକ୍ତି ଦେବା ପଛରେ ପାର୍ଟିର ପ୍ରଭାରୀ ସୁନୀଲ ବଂଶଲଙ୍କ ହାତ ରହିଛି | ଧାମନଗର ଉପନିର୍ବାଚନ ବିଜୟରେ ମନମୋହନଙ୍କ ଶ୍ରେୟ ଅଧିକ ତେଣୁ ତାଙ୍କୁ ଏହାର ପୁରସ୍କାର ଦେବାକୁ ଯାଇ ସୁନୀଲ ବଂଶଲ ସଭାପତି ପଦରେ ମନମୋହନଙ୍କୁ ନିଯୁକ୍ତ କଲେ | କିନ୍ତୁ ମନମୋହନଙ୍କ ନିଯୁକ୍ତି ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ସମ୍ମତି ନଥିଲା |

ଇତି ମଧ୍ୟରେ ମନମୋହନ ସାମଲ ତିନି ତିନି ଥର ଯାଇ ଦଳର ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ପାଖରେ ତାଙ୍କ ଟିମ ର ଚିଠା ଦେଇ ଆସିଲେଣି କିନ୍ତୁ ତାହାକୁ ସ୍ୱୀକୃତି ମିଳିପାରୁ ନାହିଁ | ମନମୋହନଙ୍କ ଟିମ କୁ ସ୍ୱୀକୃତି ନ ମିଳିବା ପଛରେ ଧର୍ମେନ୍ଦ୍ର ପ୍ରଧାନ କେଁ ପୁରଉଛନ୍ତି ବୋଲି ଆଲୋଚନା ହେଉଛି | ରାଜ୍ୟ ବିଜେପିରେ ସମସ୍ତଙ୍କୁ ଜଣା ଯେ ମନମୋହନ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ସମ୍ପର୍କ କେତେ ତିକ୍ତ | ଉପରକୁ ଦେଖା ନଦେଲେ ବି ମନମୋହନଙ୍କ ଚେର କାଟିବା ପାଇଁ ଧର୍ମେନ୍ଦ୍ର କୌଣସି କସର ଛାଡ଼ନ୍ତି ନାହିଁ | ଏପରିକି ଜାତୀୟ ରାଜନୀତିରେ ସକ୍ରିୟ ହେବାପରେ 2014 ପରଠାରୁ ରାଜ୍ୟ ସଙ୍ଗଠନରେ ଧର୍ମେନ୍ଦ୍ର ମନମୋହନଙ୍କ ସବୁ ପତ୍ତା କାଟି ଦେଇଥିଲେ | ମନମୋହନଙ୍କ କର୍ମୀମାନଙ୍କୁ ରାଜ୍ୟ ସଙ୍ଗଠନରେ କୌଣସି କାର୍ଯ୍ୟଭାର ଦିଆଯାଇନଥିଲା | ସଙ୍ଗଠନରେ ନିଜର ଦବଦବା ପାଇଁ 2014 ରୁ 2023 ପର୍ଯ୍ୟନ୍ତ ଧର୍ମେନ୍ଦ୍ର ନିଜ ଇସାରାରେ ନାଚିବା ଭଳି ପ୍ରଥମେ ବସନ୍ତ ପଣ୍ଡା ଓ ପରେ ସମୀର ମହାନ୍ତିଙ୍କୁ ରାଜ୍ୟ ସଭାପତି ପଦରେ ବସାଇଥିଲେ |

ଏବେ ମନମୋହନ ଆସିବା ପରେ ଧର୍ମେନ୍ଦ୍ରଙ୍କ ପାଇଁ ଚିନ୍ତା ବଢିଯାଇଛି | ସେପଟେ ମନମୋହନ ବି ପୋଖତ ଖେଳାଳି, ରାଜ୍ୟ ବିଜେପି ସଙ୍ଗଠନ ସହ ସେ ଛାତ୍ରବସ୍ଥାରୁ ଜଡିତ | ତେଣୁ ବିଜେପି ରାଜନୀତି କୁ ସେ ଖୁବ ଭଲ ଭାବରେ ଜାଣନ୍ତି | ଯେତେବେଳେ ମନମୋହନଙ୍କ ରାଜନୀତିକ କ୍ୟାରିୟର ଶେଷ ହୋଇଗାଲା ବୋଲି ସମସ୍ତେ ଭାବୁଥିଲେ ଠିକ ସେତିକିବେଳେ ମନମୋହନ ପୁଣି ପଲଟ ବାର କରି 19 ବର୍ଷ ପରେ ସଭାପତି ପଦକୁ ଫେରିଲେ | ଏବେ ଦେଖିବାକୁ ବାକି ରହିଲା ଯେ ସୁନୀଲ ବଂଶଲ ଓ ମନମୋହନଙ୍କ ଯୋଡି ଧର୍ମେନ୍ଦ୍ରଙ୍କ ରିମୋର୍ଟ ବ୍ୟାଟେରୀ କାଢ଼ିବାରେ ସଫଳ ହେଉଛନ୍ତି ନା ନାହିଁ |

Related Posts