ପୁରୀ(ସତ୍ୟପାଠ ବ୍ୟୁରୋ): ଦୀର୍ଘଦିନ ଧରି ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ସୁରକ୍ଷାକୁ ନେଇ ବୟାନବାଜି ଚାଲିଛି । ଏହା ମଧ୍ୟରେ ରତ୍ନଭଣ୍ଡାର ସୁରକ୍ଷା ଦାୟିତ୍ବରେ ଥିବା ଶ୍ରୀମନ୍ଦିର ଭଣ୍ଡାର ମେକାପ ମଧୁସୂଦନ ମେକାପ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅସୁରକ୍ଷିତ। କେବଳ ରତ୍ନଭଣ୍ଡାର ନୁହେଁ, ରତ୍ନଭଣ୍ଡାର ଭିତରେ ରହୁଥିବା ମହାପ୍ରଭୁଙ୍କ ମହଣ ମହଣ ରତ୍ନ ଅଳଙ୍କାର ବି ଅସୁରକ୍ଷିତ। ରତ୍ନଭଣ୍ଡାରର ତୁରନ୍ତ ମରାମତି ଆବଶ୍ୟକ। ନ ହେଲେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରରେ ବିଭିନ୍ନ କେମିକାଲ୍ ପଡ଼ି ନଷ୍ଟ ହୋଇଯିବ ବୋଲି କହିଛନ୍ତି । ଏହା ସହ ଶ୍ରୀ ମେକାପ ଅଭିଯୋଗ କରିଛନ୍ତି, ରତ୍ନଭଣ୍ଡାର ସମ୍ପର୍କରେ ଅନେକ ଥର ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛି। କିନ୍ତୁ କେହି ଏହାକୁ ଗୁରୁତ୍ବ ଦେଉନାହାନ୍ତି କିଛି ଅଳଙ୍କାର ବି ନଷ୍ଟ ହେଉଛି। ବାକି ନଷ୍ଟ ହେବା ପୂର୍ବରୁ ଯାହା ନଜରରେ ପଡ଼ୁଛି, ତାକୁ ସୁରକ୍ଷିତ ରଖୁଛି ବୋଲି ଶ୍ରୀ ମେକାପ କହିଛନ୍ତି। ଅନ୍ୟପଟେ ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ସୁନା, ହୀରା, ମୋତି, ମାଣିକ ଭଳି ଅନେକ ଦୁର୍ମୁଲ୍ୟ ଅଳଙ୍କାର ରହିଛି। ବାହାର ରତ୍ନଭଣ୍ଡାରରେ ଦୈନନ୍ଦିନ ନୀତି ଓ ବିଭିନ୍ନ ପର୍ବପର୍ବାଣୀ ପାଇଁ ବ୍ୟବହୃତ ଅଳଙ୍କାର ରହିଛି।
କିନ୍ତୁ ଭିତର ରତ୍ନଭଣ୍ଡାରରେ ରାଜରାଜୁଡ଼ା ଅମଳରୁ ରାଜାମାନେ ଯେଉଁ ସୁନା, ହୀରା, ମୋତି, ମାଣିକ ଆଦି ଜିତି ଆଣିଥିଲେ, ତାକୁ ସଂରକ୍ଷିତ ରଖାଯାଇଛି। ଏହି ଅଳଙ୍କାରର ଆକଳନ ପାଇଁ ୨୦୧୮ ମସିହା ଏପ୍ରିଲ ମାସରେ ରାଜ୍ୟ ସରକାର ନିଷ୍ପତ୍ତିକ୍ରମେ ୧୭ଜଣିଆ ସ୍ବତନ୍ତ୍ର କମିଟି ରତ୍ନଭଣ୍ଡାର ଖୋଲିବାକୁ ଯାଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଆଇନ ବିଭାଗ, ଜିଲ୍ଲାପାଳ, ବରିଷ୍ଠ ପ୍ରାଶାସନିକ ଅଧିକାରୀ, ପରିଚାଳନା କମିଟି ସଦସ୍ୟ, ଭଣ୍ଡାର ମେକାପ ପ୍ରମୁଖଙ୍କୁ ନେଇ ଏହି କମିଟି ଗଠନ କରାଯାଇଥିଲା। ଦୀର୍ଘ ୩୪ ବର୍ଷ ପରେ ମହାପ୍ରଭୁଙ୍କ କେତେ ଅଳଙ୍କାର ରତ୍ନଭଣ୍ଡାରରେ ଗଚ୍ଛିତ ରହିଛି, ତାହା ଜାଣିବାକୁ ଉତ୍କଣ୍ଠାର ସହ ଅନାଇ ବସିଥିଲେ ଅଗଣତି ଭକ୍ତ। କିନ୍ତୁ ଏହି ସ୍ବତନ୍ତ୍ର କମିଟି ବାହାର ରତ୍ନଭଣ୍ଡାରରୁ ସ୍ଥିତି ଅନୁଧ୍ୟାନ କରି ଫେରି ଆସିଲୁ ବୋଲି ସର୍ବସମ୍ମୁଖରେ କହିଲେ। ଚାବି ହଜିବାର ନାଟକ କରାଯାଇଥିଲା। ଉଭୟ ବାହାର ଓ ଭିତର ରତ୍ନଭଣ୍ଡାରର ବିପଦସଂକୁଳ ଅବସ୍ଥାରେ ଥିବା ୧୭ଜଣିଆ କମିଟି ଜାଣିବାକୁ ପାଇଥିଲା।
ଅନୁଧ୍ୟାନ ବେଳେ ରତ୍ନଭଣ୍ଡାରର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା। କାନ୍ଥରୁ ବର୍ଷା ପାଣି ଗଳୁଥିଲା। ଅନେକ ସ୍ଥାନ ଫାଟି ଛେଲା ଛେଲା ହୋଇ ପ୍ଲାଷ୍ଟର୍ ଖସିପଡ଼ି ରଡ୍ ଦେଖା ଯାଉଥିଲା। ପ୍ରବେଶ ଦ୍ବାରରେ ଥିବା କିଛି ଲୁହାର ସପୋର୍ଟିଂ ବି ନ ଥିବା ଦେଖିବାକୁ ମିଳିଥିଲା। ଯାହାର ରିପୋର୍ଟ ଏବେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି। ପ୍ରତ୍ନତତ୍ତ୍ବ ବିଭାଗ କୋର୍ କମିଟି, ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ୧୭ଜଣିଆ କମିଟିର ଦସ୍ତଖତ ଏହି ରିପୋର୍ଟରେ ରହିଛି। ଇତିମଧ୍ୟରେ ୩ ବର୍ଷ ବିତିବାକୁ ବସିଲାଣି, କିନ୍ତୁ ରତ୍ନଭଣ୍ଡାର ମରାମତି କଥା କେହି ବି ଉଠାଉନାହାନ୍ତି। ଏହା ଅଗଣିତ ଭକ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।ଏଭଳି ସ୍ଥିତିରେ ଶ୍ରୀମନ୍ଦିର ଭଣ୍ଡାର ମେକାପ ଏ ସମ୍ପର୍କରେ ବିସ୍ଫୋରକ ବୟାନ ରଖିବା ରତ୍ନଭଣ୍ଡାର ଗମ୍ଭୀର ସ୍ଥିତିକୁ ପଦାକୁ ଆଣିଛି।





