ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜାମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ହରିୟାଣା ବିଜେପି ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଜାଙ୍ଗଡ଼ା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଆତଙ୍କୀ ଆକ୍ରମଣରେ ନିହତ ୨୬ ଜଣ ପର୍ଯ୍ୟଟକ ସାହସୀ ନଥିଲେ, ତେଣୁ ସେମାନେ ଆତଙ୍କବାଦୀଙ୍କ ଆଗରେ ହାତ ଯୋଡି ମୃତ୍ୟୁବରଣ କଲେ ବୋଲି ବିଜେପି ସାଂସଦ ଜାଙ୍ଗଡ଼ା ଶନିବାର କହିଛନ୍ତି।
ସେ ଆହୁରି କହିଛନ୍ତି, “ଯେଉଁ ସ୍ତ୍ରୀମାନେ ଆତଙ୍କବାଦୀ ଆକ୍ରମଣରେ ନିଜ ସ୍ବାମୀଙ୍କୁ ହରାଇଲେ, ସେମାନେ ବୀରଙ୍କ ପରି ମନୋଭାବ ରଖିନଥିଲେ, ଯାହା ପାଇଁ ୨୬ ଜଣ ମୃତ୍ୟୁବରଣ କଲେ। ମହିଳାମାନେ ହାତ ଯୋଡ଼ିବା ବଦଳରେ ଆତଙ୍କୀମାନଙ୍କ ମୁକାବିଲା କରିଥିଲେ କମ୍ ଲୋକ ପ୍ରାଣ ହରାଇ ଥାଆନ୍ତେ। ଯଦି ସେମାନେ ପ୍ରଧାନମନ୍ତ୍ରୀଙ୍କ ଅଗ୍ନିବୀର ଯୋଜନା ଅଧୀନରେ ପ୍ରଶିକ୍ଷଣ ନେଇଥାନ୍ତେ ତେବେ ଆକ୍ରମଣକାରୀଙ୍କ ସାମ୍ନା କରିଥାନ୍ତେ, ଆଉ ଏଭଳି ମୃତ୍ୟୁବରଣ କରିନଥାନ୍ତେ।”
ହରିୟାଣାର ଭିବାନୀରେ ଦେବୀ ଅହିଲ୍ୟାବାଈ ହୋଲକରଙ୍କ ଜୟନ୍ତୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜାଙ୍ଗଡ଼ା ଯୋଗଦେବା ଅବସରରେ ଏପରି କହିଛନ୍ତି। ଆକ୍ରମଣସ୍ଥଳରେ ଉପସ୍ଥିତ ମହିଳାମାନେ ଅହିଲ୍ୟାବାଈ ଏବଂ ରାଣୀ ଲକ୍ଷ୍ମୀବାଈଙ୍କ ପରି ନିଜକୁ ମନେ କରି ଆତଙ୍କୀମାନଙ୍କ ସହ ଲଢ଼ିବାର ଥିଲା ବୋଲି କହିଥିଲେ।
ତେବେ ଆତଙ୍କୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକ ଓ ତାଙ୍କ ପତ୍ନୀମାନଙ୍କ ପ୍ରତି ଏଭଳି ବୟାନ ଆସିବା ପରେ ବିଜେପି ସାଂସଦ ଜାଙ୍ଗଡ଼ାଙ୍କୁ ସବୁ ମହଲରେ ସମାଲୋଚନା କରାଯାଉଛି।





