ରଥଯାତ୍ରାରେ ଡ୍ରୋନ୍‌ ଉଡାଣ ଉପରେ ଲାଗିଲା କଟକଣା, ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୧/୬ (ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୦ ତାରିଖରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା। ଏହା ପରେ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ନୀତି ଓ ନିଳାଦ୍ରୀ ବିଜେ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସଂପନ୍ନ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ରଥଯାତ୍ରା ସମୟରେ ଯେପରିକି କୌଣସି ଅଘଟଣ ନଘଟେ, ସେଥିପାଇଁ ପ୍ରସ୍ତୁତି ଚାଲିଛି। ଏହା ପୂର୍ବରୁ ପୁରୀ ପୁଲିସ ଡ୍ରୋନ୍‌ ଉଡ଼ାଣ ଉପରେ କଟକଣା ଲାଗୁ କରିଛି। ଡ୍ରୋନ ଉଡ଼ାଣ କଟକଣା ନେଇ ଟ୍ୱିଟ୍‌ କରି ସୂଚନା ଦେଇଛି।

ପୁରୀ ପୁଲିସ ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା ସମୟରେ ଅନେକ ଲୋକ ଡ୍ରୋନ୍‌ ସାହାଯ୍ୟରେ ମହାପ୍ରଭୁଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରି ଭାରଇରାଲ କରିବାକୁ ଉଦ୍ଦେଶ୍ୟ ରଖିଥାନ୍ତି। ଏଭଳି କରାଯିବା ଦ୍ବାରା ଭକ୍ତଙ୍କ ସୁରକ୍ଷା ପ୍ରତି ବିପଦ ରହିଛି। ତେଣୁ ଜଗନ୍ନାଥ ମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର, ତିନି ରଥ, ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୨୩ ଜୁନ୍‌ ୨୦ ତାରିଖ (ରଥଯାତ୍ରା) ଠାରୁ ଜୁଲାଇ ୧ (ନିଳାଦ୍ରୀ ବିଜେ) ପର୍ଯ୍ୟନ୍ତ ପୁରୀ ସହର ବିଶେଷ ଭାବେ ବଡଦାଣ୍ଡରେ ଡ୍ରୋନ୍‌ ଉଡାଇବା ନେଇ କଟକଣା ଜାରି ହୋଇଛି।

ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିର ରେଡ୍‌ ଜୋନ୍‌ରେ ଯାଉଛି। ତେଣୁ ମନ୍ଦିର ପାର୍ଶ୍ବରେ କେହି ଡ୍ରୋନ୍‌ ଉଡ଼ାଇପାରିବେ ନାହିଁ। ସେହିପରି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅନୁମତି ବିନା କେହି ଡ୍ରୋନ୍‌ ଉଡ଼ାଇପାରିବେ ନାହିଁ। ଡ୍ରୋନ୍‌ ଉଡ଼ାଇବା ନେଇ ବୈଧ ଅନୁମତି ବିନା କେହି ଏହାକୁ ଉଡ଼ାଇପାରିବେ ନାହିଁ। ଏଥି ସହିତ ୩ ରଥ ପାଖରେ ଓ ଗୁଣ୍ଡିଚା ମନ୍ଦିର ଉପରେ ମଧ୍ୟ ଉଡ଼ାଣ ମନା କରାଯାଇଛି। । ପୂର୍ବରୁ ନିୟମ ଉଲ୍ଲଙ୍ଘନ ୟୁଟ୍ୟୁବରମାନେ ଗିରଫ ହୋଇଛନ୍ତି। ରଥଯାତ୍ରା ବେଳେ ଫଟୋ ଓ ଭିଡିଓ ପାଇଁ ଏପରି କରାଯିବାର ନଜିର ଅଛି। ଯଦି କେହି ନିର୍ଦ୍ଦେଶ ଅମାନ୍ୟ କରନ୍ତି କାର୍ଯ୍ୟାନୁଷ୍ଠାନର ଶିକାର ହେବେ ବୋଲି କୁହାଯାଇଛି।

Related Posts