ଭୁବନେଶ୍ୱର,୯/୧(ସତ୍ୟପାଠ ବ୍ୟୁରୋ): ସମାଜବାଦୀ ପାର୍ଟି ମିଡିଆ ସେଲର କାର୍ଯ୍ୟକର୍ତ୍ତାଙ୍କୁ ପୁଲିସ ଗିରଫ କାଇବା ପରେ ଉତ୍ତରପ୍ରଦେଶରେ ଜୋରଦାର ରାଜନୀତି ଆରମ୍ଭ ହୋଇଛି। ସପା ମିଡିଆ ସେଲ ମୁଖ୍ୟ ଗିରଫ ହେବା ପରେ ରବିବାର ଡିଜିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସପା ମୁ୍ଖ୍ୟ ଅଖିଳେଶ ଯାଦବ । ସେଠାରେ ସେ ଅଜବ କଥା କହିଥିଲେ । ଡିଜିପି କାର୍ଯ୍ୟାଳୟରେ ତାଙ୍କୁ ଚା’ ପିଇବାକୁ ଦିଆଯାଇଥିଲା । ହେଲେ ସେ ଏହାକୁ ପିଇ ନଥିଲେ । ତେବେ ଚାହା ନ ପିଇବାକୁ ନେଇ ଅଖିଳେଶ ଦେଇଥିବା ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପୋଲିସ ଉପରେ ଭରସା ନାହିଁ ଯଦି ଚା’ରେ ମୋତେ ବିଷ ମିଶାଇ ଦେଇଥିବେ ବୋଲି କହିଥିଲେ ଅଖିଳେଶ ଯାଦବ ଯାହା ସମସ୍ତଙ୍କ ଚକିତ କରିଥିଲା ।
ଅଖିଳେଶଙ୍କୁ ଯେତେବେଳେ ଚା’ ପିଇବାକୁ କୁହାଯାଇଥିଲା ସେ କହିଥିଲେ, ପୋଲିସକୁ ବିଶ୍ବାସ ନାହିଁ । କିଏ ଜାଣେ ସେମାନେ ଚା’ରେ ବିଷ ମିଶାଇ ଥାଇପାରନ୍ତି । ଦରକାର ହେଲେ ଆମେ ବାହାରୁ ଚା’ ଆଣି ପିଇବୁ ପୋଲିସଙ୍କ ପ୍ଲାଷ୍ଟିକ କପ ନେବୁ ହେଲେ ଏଠୁ ଚା’ ପିଇବୁ ନାହିଁ । ଆପଣଙ୍କ ଉପରେ ମୋର ବିଶ୍ବାସ ନାହିଁ । ପୋଲିସକୁ ନେଇ ଏପରି କହିବା ପରେ ଚା’ ପିଇନଥିଲେ ଅଖିଳେଶ ।
ସପା ମିଡିଆ ସେଲ ମୁଖ୍ୟ ମନୀଷ ଜଗନ ଅଗ୍ରୱାଲଙ୍କ ଗିରଫଦାରୀ ଓ ଲକ୍ଷ୍ନୌ ପୋଲିସର କାର୍ଯ୍ୟନୁଷ୍ଠାନ ପ୍ରତିବାଦରେ ଅଖିଳେଶ ରବିବାର ଡିଜିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ପୋଲିସ ସହ ତାଙ୍କର କଥା କଟାକଟି ହୋଇଥିଲା । ସେହି ସମୟରେ ପୋଲିସ ପକ୍ଷରୁ ତାଙ୍କୁ ଚା’ ଯଚା ଯାଇଥିଲା ମାତ୍ର ସେ ଚା’ ନ ପିଇ ଏଭଳି ଅଜବ ମନ୍ତବ୍ୟ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଗତକାଲି (ରବିବାର) ଟ୍ବିଟରରେ ଅଶ୍ଳୀଳ ଭାଷା ବ୍ୟବହାର ଓ ଧମକପୂର୍ଣ୍ଣ ଟ୍ବିଟ କରିବା ଅଭିଯୋଗରେ ସମାଜବାଦୀ ପାର୍ଟି ମିଡିଆ ସେଲ ସଞ୍ଚାଳକ ମନୀଷ ଜଗନ ଅଗ୍ରୱାଲଙ୍କୁ ପୋଲିସ ଗିରଫ କରିଥିଲା । ଟ୍ବିଟରରେ ଲୋକଙ୍କୁ ଦୁର୍ବ୍ୟବହାର ଓ ଧମକ ଦେବା ନେଇ ହଜରତଗଞ୍ଜ ପୋଲିସ ଷ୍ଟେସନରେ ମନୀଷ ଜଗନ ଅଗ୍ରୱାଲଙ୍କ ବିରୋଧରେ ଏକାଧିକ ଏତଲା ଦାଖଲ ହୋଇଥିଲା । ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଲକ୍ଷ୍ନୌ ପୋଲିସ । ଉକ୍ତ ଟ୍ବିଟର ହ୍ୟାଣ୍ଡେଲରେ ନିୟମିତ ଏପରି କିଛି ଆପତ୍ତିଜନକ ପୋଷ୍ଟ କରାଯାଉଥିବା ନେଇ 3ଟି ଲିଖିତ ଅଭିଯୋଗ ହେବା ପରେ ସପା ସେଲ ସଞ୍ଚାଳକଙ୍କୁ ଗିରଫ କରିଥିଲା । ଏହା ପରେ ଡିଜିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସପା ମୁଖ୍ୟ ।





