ଆହୁରି ୫ଦିନ ତାତିରୁ ନାହିଁ ମୁକ୍ତି, ୨୪ ଘଣ୍ଟା ପାଇଁ ୯ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୦/୬(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଏବେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଏହି ଧାରା ଆହୁରି ୫ଦିନ ପର୍ଯ୍ୟନ୍ତ ଜାରି ରହିବ। ଆଗାମୀ ୫ ଦିନ ଯାଏଁ ପାଗର ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ପାଣିପାଗକେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ୩ ରୁ ୪ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ। କିଛି କିଛି ସ୍ଥାନରେ ତାପମାତ୍ରା ସ୍ଵାଭାଵିକଠାରୁ ୩ ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ରହିବାର ସମ୍ଭାବନା ରହିଛି।

ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ୯ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଦିଆଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡା,ସମ୍ବଲପୁର, ବରଗଡ, ସୋନପୁର, ସୁନ୍ଦରଗଡ, ବଲାଙ୍ଗୀର, ବୌଦ୍ଧ, ମୟୁରଭଞ୍ଜ ଓ କେନ୍ଦୁଝର। ଏହି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆଜି ସକାଳୁ ସକାଳୁ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୂତି ହେଉଛି। ରାଜଧାନୀ ଭୁବନେଶ୍ୱର ରେ ସକାଳ ୮ ଟା ୩୦ ସୁଦ୍ଧା ୩୨.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି | ସେହିପରି ସମ୍ବଲପୁର ରେ ୩୬ ଡ଼ିଗ୍ରୀ, ଝାରସୁଗୁଡା ୩୫.୪ ଡ଼ିଗ୍ରୀ ଏବଂ ହୀରାକୁଦ ରେ ୩୫.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯଇଛି |

Related Posts