ଭୁବନେଶ୍ୱର,୨୧/୬(ସତ୍ୟପାଠ ବ୍ୟୁରୋ): ଶରଧାବାଲିରେ ଲାଗିଲା ତିନି ରଥ | ଗତକାଲି ଅଧା ରାସ୍ତାରେ ଅଟକି ରହିଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଆଜି ସକାଳୁ ରଥ ଟଣା ଆରମ୍ଭ ହୋଇଥିଲା | ଗତକାଲି ବଡ଼ଶଙ୍ଖରେ ଅଟକିଥିଲା ଦର୍ପଦଳନ ରଥ । ସେହିପରି ବଳଗଣ୍ଡି ଛକରେ ନନ୍ଦିଘୋଷ ରଥ ଅଟକିଥିଲା। ହେଲେ, ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚି ଯାଇଥିଲା।
ତେବେ ଆଜି ଶରଧାବାଲିରେ ତିନି ରଥ ପହଂଚିବା ପରେ ଏବେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ | ଆସନ୍ତାକାଲି ସନ୍ଧ୍ୟାରେ ଆଳତି ପରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପ ବିଜେ କରିବେ | ଏହାପରେ ଶୁକ୍ରବାର ଆଡ଼ପ ଅବଢ଼ା ଭକ୍ତମାନଙ୍କୁ ମିଳିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି |
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ଜାରି ରହିଛି। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରାଯିବା ପରେ ଗତକାଲି ମହାବାହୁଙ୍କ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଶ୍ବନିୟନ୍ତା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷକୁ ଭକ୍ତମାନେ ଶ୍ରଦ୍ଧାର ସହିତ ଶରଧାବାଲି ଆଡ଼କୁ ଟାଣି ନେଇଥିଲେ। ମଙ୍ଗଳବାର ଅପରାହ୍ଣ ୪ଟା ୪୦ରେ ନନ୍ଦିଘୋଷ, ୩ଟା ୫୫ରେ ଦର୍ପଦଳନ ଏବଂ ୩ଟା ୪ ମିନିଟରେ ତାଳଧ୍ବଜ ଶରଧାବାଲି ଅଭିମୁଖେ ଗଡ଼ିଥିଲା। ଭକ୍ତମାନେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜକୁ ଟାଣିବା ଆରମ୍ଭ କରିଦେଇଥିଲେ। ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡ଼ିଥିଲା। ହେଲେ ଗତକାଲି ରଥଟଣା ଅସମାପ୍ତ ରହିଥିଲା। ସନ୍ଧ୍ୟା ପରେ ଅର୍ଥାତ୍ ରାତି ୮ଟା ଯାଏ ରଥଟଣାଯିବା ପରେ ବି ମହାପ୍ରଭୁଙ୍କ ନନ୍ଦିଘୋଷ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିପାରିନଥିଲେ। ବଳଗଣ୍ଡି ଛକ ମାଉସୀ ମା’ଙ୍କ ମନ୍ଦିର ଆଗରେ ନନ୍ଦିଘୋଷ ଓ ବଡ଼ଶଙ୍ଖ ନିକଟରେ ଦର୍ପଦଳନ ରଥ ଅଟକିଥିଲେ। ତେବେ ବଡ଼ଠାକୁରଙ୍କ ତାଳଧ୍ବଜ ରଥ ଶରଧାବାଲିରେ ପହଞ୍ଚିଥିଲା।





