କାଗଜପତ୍ର ଥିବା ସତ୍ତ୍ୱେ ସେମାନେ ମୋ ଦୋକାନ ଭାଙ୍ଗିଦେଲେ; ଦୋକାନ ଭାଙ୍ଗିବା ପରେ ଏପରି କହିଲେ ଜୁସ ଦୋକାନୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ଜହାଙ୍ଗୀରପୁରୀ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ସେପଟେ ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳରେ ବେଆଇନ ନିର୍ମାଣ ଏବଂ ଜବରଦଖଲ ଉଚ୍ଛେଦ କରାଯାଇଛି। ନର୍ଥ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ବୁଲଡୋଜର ଜରିଆରେ ଉଚ୍ଛେଦ ଅଭିଯାନ ଚଳାଇଛି। ତେବେ ଏହାର କିଛି ଘଣ୍ଟା ପରେ ଏହି ଉଚ୍ଛେଦ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ତେବେ ସେତେବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ପ୍ରଶାସନର ଉଚ୍ଛେଦରେ ମାଟିରେ ମିଶି ସାରିଥିଲା ଅନେକ ଲୋକଙ୍କ ଘର ଏବଂ ଦୋକାନ। ସେଥିମଧ୍ୟରୁ ଗଣେଶ କୁମାର ଗୁପ୍ତାଙ୍କ ଜୁସ୍ ଦୋକାନ ମଧ୍ୟ ମାଟିରେ ମିଶି ଯାଇଛି। ଇଣ୍ଡିଆ ଟୁଡେ ସହ କଥା ହେବା ବେଳେ ଗଣେଶ କହିଛନ୍ତି, ୧୯୭୭ରେ ଦିଲ୍ଲୀ ବିକାଶ ପ୍ରାଧୀକରଣ ହିଁ ଏହି ଦୋକାନ ତାଙ୍କୁ ଆବଣ୍ଟିତ କରିଥିଲା। ତାଙ୍କ ପାଖରେ ଦୋକାନର ସମସ୍ତ କାଗଜପତ୍ର ମଧ୍ୟ ରହିଛି। ମୁଁ ସେମାନଙ୍କୁ ଦୋକାନର କାଗଜପତ୍ର ଥିବା କହିଲି। କିନ୍ତୁ ସେମାନେ କିଛି ଶୁଣିନଥିଲେ।

ମୁଁ ଏହା ମଧ୍ୟ କହିଲି ଯେ, ସୁପ୍ରିମକୋର୍ଟ ଗୋଟିଏ ଘଣ୍ଟା ପୂର୍ବରୁ ଅବୈଧ ଉଚ୍ଛେଦ ଉପରେ ରୋକ୍ ଲଗାଇ ସାରିଲେଣି। ତଥାପି ଉଚ୍ଛେଦକାରୀ ଦଳ ଅଟକି ନଥିଲେ ବୋଲି ଗଣେଶ ଗୁପ୍ତା କହିଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟ ଗଣେଶ ଗୁପ୍ତା ମଙ୍ଗଳବାର କହିଥିଲେ ଯେ, ଶନିବାର ଘଟିଥିବା ଜହାଙ୍ଗିରପୁରୀ ହିଂସା ଘଟଣାର ଅଭିଯୁକ୍ତମାନେ ଏଠାରେ ଅବୈଧ ଘର ନିର୍ମାଣ କରି ରହୁଛନ୍ତି। ତୁରନ୍ତ ବେଆଇନ କବଜାକୁ ଉଚ୍ଛେଦ କରାଯାଉ ବୋଲି ସେ ଦାବି କରିଥିଲେ। ଏହା ପରେ ପ୍ରଶାସନ ଉଚ୍ଛେଦ କରାଯିବ ବୋଲି ଘୋଷଣା କରିଥିଲା। ଗଣେଶ କୁମାର ଗୁପ୍ତା କହିଛନ୍ତି, ତାଙ୍କ ପରିବାରର କୌଣସି ସଦସ୍ୟ ଦଙ୍ଗାରେ ସଂପୃକ୍ତ ନାହାନ୍ତି। ସେ ଜଣେ ଦୋକାନୀ। ସେମାନେ କାହିଁକି ମୋତେ ଗିରଫ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts