ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ; ୬ ଲୋକସଭା ସହ ୪୨ ବିଧାନସଭା ପାଇଁ ଚାଲିଛି ଭୋଟିଂ

ଭୁବନେଶ୍ୱର,୨୫/୫(ସତ୍ୟପାଠ ବ୍ୟୁରୋ):  ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ମକ୍ ପୋଲିଂ ହୋଇଥିଲା । ଭୋଟ୍ ଦେବା ଲାଗି ସକାଳୁ ସକାଳୁ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଲଗାଇଛନ୍ତି । ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି ।

୬ ସଂସଦୀୟ କ୍ଷେତ୍ର ପାଇଁ ରଣାଙ୍ଗନରେ ଅଛନ୍ତି ୬୪ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ଓ ୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ୪୨ ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୩୮୩ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୩୩୯ ଜଣ ପୁରୁଷ ଏବଂ ୪୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ୬ ସଂସଦୀୟ କ୍ଷେତ୍ରରେ ମୋଟ ୯୪ ଲକ୍ଷ ୪୮ ହଜାର ୫୫୩ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୮ ଲକ୍ଷ ୨୯ ହଜାର ୬୬୦ ପୁରୁଷ, ୪୬ ଲକ୍ଷ ୧୭ ହଜାର ୬୦୨ ମହିଳା ଏବଂ ୧ ହଜାର ୨୯୧ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି।

ଏହି ପର୍ଯ୍ୟାୟରେ ୨ ଲକ୍ଷ ୩୭ ହଜାର ୧୩୧ ଜଣ ପ୍ରଥମ ଭୋଟର ଥିବା ବେଳେ ୧୮ ଲକ୍ଷ ୪୫ ହଜାର ୫୦୩ ଜଣ ଯୁବ ମତଦାତା ଅଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୧୦ ହଜାର ୫୫୧ ବୁଥ୍ କରାଯାଇଛି । ଏଥିରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ରହିଛି । ୧୫ ଶହ ବୁଥ୍ ସଂପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ ୩୦ଟି ବୁଥ୍ ସଂପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେଉଛି । ଏହି ପର୍ଯ୍ୟାୟରେ ୨ ହଜାର ମଡେଲ୍ ବୁଥ୍ କରାଯାଇଛି । ନିର୍ବାଚନ ପରିଚାଳନା ଲାଗି ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

Related Posts