ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧୀରେ ଧୀରେ ସାମ୍ନାକୁ ଆସୁଛି ମାୟାବିନୀ ଅର୍ଚ୍ଚନା ନାଗଙ୍କ ନୂଆ ନୂଆ ଗୁମର । କିଭଳି ଅର୍ଚ୍ଚନା ଲୋକଙ୍କୁ ଫଶାଇ ଟଙ୍କା ଆଦାୟ କରୁଥିଲେ ତାର ପ୍ରମାଣ ମିଳୁଛି । ଅର୍ଚ୍ଚନା ନାଗଙ୍କ ବିରୋଧରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦେଇଥିବା ଏତଲାର କପି ଏବେ ସାମ୍ନାକୁ ଆସିଛି । କିଭଳି ଅକ୍ଷୟ ପରିଜାଙ୍କୁ ହନିଟ୍ରାପରେ ଫଶାଇବା ପରେ ବ୍ଲାକମେଲ୍ କରି ତାଙ୍କ ଠାରୁ ୩ କୋଟି ଟଙ୍କା ଆଦାୟ ପାଇଁ ଅର୍ଚ୍ଚନା ଷଡ଼ଯନ୍ତ୍ର କରିଥିଲା ଏହି ଏତଲା କପିରେ ଉଲ୍ଲେଖ ରହିଛି ।
ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦେଇଥିବା ଏତଲା ଅନୁସାରେ ଅର୍ଚ୍ଚନା ନିଜକୁ ଆଇନଜୀବୀ ଭାବେ ପରିଚୟ ଦେଇ ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା ଦାବି କରିଥିଲା । ସେହି ଯୁବତୀକୁ ନିଜର ମହକିଲ ବୋଲି ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ମଧ୍ୟ ଧମକାଇଥିଲା । ନହେଲେ ସମ୍ମାନହାନି କରିବା ସହ କ୍ୟାରିୟର ନଷ୍ଟ କରିଦେବାର ଧମକ ମଧ୍ୟ ଅର୍ଚ୍ଚନା ଦେଇଥିଲା ।
ସମ୍ମାନହାନି ଭୟରେ ବୁଝାମଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା । ଏଥିପାଇଁ ଭୁବନେଶ୍ବରର ସ୍ୟାଣ୍ଡି ଟାୱାରରେ ଅର୍ଚ୍ଚନା ସହ ସେ ଭେଟ ମଧ୍ୟ ହୋଇଥିଲେ । ତେବେ ଏଠାରେ ମାମଲା ରଫାଦଫା କରିବା ପାଇଁ ୩ କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି କାଟିଦେବା ସହ ଭୁବନେଶ୍ବର ବାହାରକୁ ଯାଇପାରିବେ ନାହିଁ ବୋଲି ଅର୍ଚ୍ଚନା ଧମକାଇଥିଲା । ଅର୍ଚ୍ଚନାର କଥାରେ ସନ୍ଦେହ ହେବାରୁ ଅକ୍ଷୟ ନିଜ ଆଡୁ ତଦନ୍ତ କରିଥିଲେ । ତାଙ୍କୁ ହନିଟ୍ରାପରେ ଫସାଇବା ପାଇଁ ଅର୍ଚ୍ଚନା ସେହି ଯୁବତୀଙ୍କୁ ବ୍ୟବହାର କରୁଥିଲା ବୋଲି ଜାଣିବାକୁ ସେ ପାଇଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି ଅକ୍ଷୟ ପରିଜା ।





