ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ଶିବିରରେ ଭୂକଂପ ସୃଷ୍ଟି ହୋଇଛି | ଗୋଷ୍ଟି କନ୍ଦଳ କଂଗ୍ରେସ ର ବିନାଶର କାରଣ ପାଲଟିଥିବା ବେଳେ, ଏବେ ଗାନ୍ଧୀ ପରିବାରର ନେତୃତ୍ୱ କୁ ନେଇ ପ୍ରଶ୍ନ ଉଠିଛି | ସେପଟେ ଏନେଇ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ, ଗାନ୍ଧୀ ପରିବାରକୁ ଦଳର ନେତୃତ୍ୱ ଛାଡିବାକୁ ପୁଣି ଦାବି କରିଛନ୍ତି |
ସେ କହିଛନ୍ତି ଯେ ଏହା ହେଉଛି ଉପଯୁକ୍ତ ସମୟ ଯେତେବେଳେ ଗାନ୍ଧୀ ପରିବାର କଂଗ୍ରେସର ନେତୃତ୍ୱରୁ ଦୂରେଇ ରହିବା ଉଚିତ ଏବଂ ନେତୃତ୍ୱ ଭୂମିକା ପାଇଁ ଅନ୍ୟ କାହାକୁ ସୁଯୋଗ ଦେବା ଉଚିତ୍।
ସୂଚନା ଥାଉ କି ଜି-୨୩ ନେତାମାନେ ୨୦୨୦ ରେ ସୋନିଆ ଗାନ୍ଧୀଙ୍କ ନିକଟରେ କଂଗ୍ରେସରେ ବଡ ପରିବର୍ତ୍ତନ ପାଇଁ ଦାବି କରିଥିଲେ। ଆଉ ସିବଲ ହେଉଛନ୍ତି ପ୍ରଥମ ବରିଷ୍ଠ କଂଗ୍ରେସ ନେତା ଯିଏ ଗାନ୍ଧୀ ପରିବାର ଜଣେ ନୂତନ ନେତାଙ୍କ ପାଇଁ ରାସ୍ତା ତିଆରି କରିବାକୁ ଦାବି କରିଥିଲେ ।
ସେ କହିଛନ୍ତି, ଗାନ୍ଧୀ ପରିବାର ସ୍ୱେଚ୍ଛାକୃତ ଭାବେ ଚାଲିଯିବା ଉଚିତ୍, କାରଣ ସେମାନଙ୍କ ଦ୍ୱାରା ମନୋନୀତ ହୋଇଥିବା ସଦସ୍ୟମାନେ ସେମାନଙ୍କୁ କେବେବି କହିବେ ନାହିଁ ଯେ ସେମାନେ ତାଙ୍କ ବଦଳରେ ଅନ୍ୟ କାହାକୁ କଂଗ୍ରେସର ଦାୟିତ୍ୱ ଦିଅନ୍ତୁ |
ଅନ୍ୟପଟେ, ରବିବାର ଦିନ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ନେତୃତ୍ବ ପରିବର୍ତ୍ତନ ଦାବି ମଧ୍ୟରେ ହୋଇଥିବା ସୋନିଆ ଗାନ୍ଧୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଥିବା ବେଳେ, କିନ୍ତୁ ବୈଠକରେ ଇସ୍ତଫା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯିବା ସହିତ ତାଙ୍କ ନେତୃତ୍ବ ପୂର୍ଣ୍ଣ ଆସ୍ଥା ପ୍ରକଟ କରାଯାଇଥିଲା। କେବଳ ସେତିକି ନୁହେଁ, ଦଳକୁ ମଜବୁତ କରିବା ଲାଗି ଆବଶ୍ୟକ ସାଂଗଠନିକ ପରିବର୍ତ୍ତନ ପାଇଁ ତାଙ୍କୁ କ୍ଷମତା ମଧ୍ୟ ଦିଆଯାଇଛି।





