ରାଜ୍ୟ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ହେବ ଚିନ୍ତନ ଶିବିର

ଭୁବନେଶ୍ୱର : ରାଜ୍ୟ କଂଗ୍ରେସକୁ ମିଳିଛି ନୂଆ ପିସିସି ସଭାପତି । ତେବେ ନୂଆ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଏବେ ଅସଜଡ଼ା ଘରକୁ ସଜାଡ଼ିବାରେ ଲାଗି ଯାଇଛନ୍ତି ଶରତ ପଟ୍ଟନାୟକ । ଦଳୀୟ ନେତା ଓ କର୍ମୀଙ୍କୁ ଏକାଠି କରିବାକୁ ରଣନୀତି ପ୍ରସ୍ତୁତି କରିଛନ୍ତି। ଏଥିପାଇଁ ଏଆଇସିସି ଭଳି ରାଜ୍ୟ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ହେବ ଚିନ୍ତନ ଶିବିର। ତେବେ ଏହାର ନାଁ ରାଜ୍ୟ କଂଗ୍ରେସ ପକ୍ଷରୁ ନବ ସଂକଳ୍ପ ସମାବେଶ ରଖାଯାଇଛି।

ଆସନ୍ତା ଜୁନ୍ ୧ ଓ ୨ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜନିୟର୍ସ ଠାରେ ଏହି ସମାବେଶ ଅନୁଷ୍ଠିତ ହେବ। ଏଥିରେ ନେତା, ବିଧାୟକ, ସାଂସଦ, ବ୍ଲକ, ଜିଲ୍ଲା ସଭାପତି, ସବୁ ସେଲ୍‌ର ମୁଖ୍ୟ, ପୂର୍ବତନ ବିଧାୟକ ଓ ସାଂସଦ ମାନେ ଯୋଗଦେବେ। ସମାବେଶରେ ଦଳ ତା’ର ଆଗାମୀ ରଣନୀତି ପ୍ରସ୍ତୁତ କରିବ। ବିଶେଷ କରି ତୃଣମୂଳ ସ୍ତରରେ କଂଗ୍ରେସକୁ ସୁଦୃଢ଼ କରିବାକୁ ନେତାମାନେ ନିଜ ନିଜର ମତ ରଖିବେ। ଏହା ସହ ନେତା ଓ କର୍ମୀଙ୍କୁ ଶୃଙ୍ଖଳାର ପାଠପଢ଼ାଯିବ। ସମସ୍ତଙ୍କୁ ଶୃଙ୍ଖଳା ଭିତରେ ରହିବ କାମ କରିବାକୁ ସମାବେଶରେ ପରାମର୍ଶ ଦିଆଯିବ। ଯିଏ ବିଶୃଙ୍ଖଳା କରିବ ହାଇ କମାଣ୍ଡ ତାଙ୍କ କଥା ବୁଝିବେ। ଅତୀତରେ ବଡ ବଡ଼ ନେତାଙ୍କୁ ସସପେଣ୍ଡ କରାଯାଇଛି। ତେଣୁ ୨୦୨୪ ରେ ଭଲ ପ୍ରଦର୍ଶନ କରିବାକୁ ହେଲେ ଦୃଢ଼ ରୋଡ ମ୍ୟାପ୍ ଏବେ ଠାରୁ ପ୍ରସ୍ତୁତ ହେବା ଦରକାର। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ନବ ସଂକଳ୍ପ ସମେବେଶ ଆୟୋଜନ କରିବାକୁ ଯାଉଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

ସେ କହିଛନ୍ତି, “ଏଆଇସିସିର ନିର୍ଦ୍ଦେଶକ୍ରମେ ଜୁନ୍‌ ୧ ଓ ୨ରେ ସଂକଳ୍ପ ଶିବିର ଆୟୋଜନ ହେବ। କଂଗ୍ରେସର ସବୁ ନେତା ଓ କର୍ମୀ ଏଥିରେ ଯୋଗାଦେବେ। କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ଓ ରୁଦ୍ର ରାଜୁ ବି ସାମିଲ ହେବେ।

Related Posts