୨୦୨୪ ଲୋକସଭା ନିର୍ବାଚନ ଏକାକୀ ଲଢିବ ଟିଏମ୍‌ସି: ମମତା ବାନାର୍ଜୀ

ଭୁବନେଶ୍ଵର,୨/୩(ସତ୍ୟପାଠ ବ୍ୟୁରୋ): ଆଜି ଫଳାଫଳ ଆସିଥିବା ମେଘାଳୟ ବିଧାନସଭା ନିର୍ବାଚନରେ ୫ ଟି ଆସନ ଜିତିବା ପରେ ଦମ୍ଭ ଦେଖାଇଛି ମମତା ବାନାର୍ଜୀ ଙ୍କ ଦକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)। ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଦଳ କାହା ସହ ମେଣ୍ଟ କରିବ ନାହିଁ ବରଂ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛନ୍ତି ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ। ଟିଏମ୍‌ସିର ମେଣ୍ଟ ସିଧା ଜନତାଙ୍କ ସହ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ସେ କହିଛନ୍ତି ଯେ, ‘୨୦୨୪ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ କୌଣସି ଦଳ ସହ ମେଣ୍ଟ କରିବ ନାହିଁ। ଏହି ନିର୍ବାଚନ ଦକ ଲୋକଙ୍କ ସମର୍ଥନରେ ଲଢିବ। ମୋର ବିଶ୍ୱାସ ରହିଛି ଯେ ଯେଉଁମାନେ ବିଜେପିକୁ ହରାଇବାକୁ ଚାହୁଁଛନ୍ତି ସେମାନେ ଟିଏମ୍‌ସିକୁ ଭୋଟ୍ ଦେବେ।’ ଲୋକମାନେ ତାଙ୍କ ସାଙ୍ଗରେ ଅଛନ୍ତି। ୨୦୨୪ ନିର୍ବାଚନରେ ବି ସେମିତି ରହିବେ ବୋଲି ମମତା ଆଶା ବ୍ୟକ୍ତ କରିଛନ୍ତି।

ଏପଟେ ମମତାଙ୍କର ଏକାକୀ ଯୁଦ୍ଧଂ ଦେହୀ ଡାକରା ବିରୋଧୀ ମେଣ୍ଟକୁ ଶକ୍ତ ଝଟ୍‌କା ଲାଗିଛି। ମୋଦୀ ସରକାରଙ୍କୁ ହରାଇବା ପାଇଁ ଦେଶରେ ବିରୋଧୀ ଏକାଠି ହେଉଥିବା ବେଳେ ଟିଏମ୍‌ସି କାହା ସହ ମେଣ୍ଟ କରିବ ନାହିଁ ବୋଲି ଘୋଷଣା କରିବା ବିରୋଧୀ ଦଳଗୁଡ଼ିକର ଚିନ୍ତା ବଢାଇଛି।

ସୂଚନାଯୋଗ୍ୟ ଯେ, ଗତକାଲି(ମାର୍ଚ୍ଚ ୧) ତାମିଲାନଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ନିଜ ଜନ୍ମଦିନରେ ଚେନ୍ନାଇରେ ଏକ ରାଲି କରିଥିଲେ। ଏହି ରାଲିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସପା ନେତା ଅଖିଳେଶ ଯାଦବଙ୍କ ସମେତ ଅନେକ ନେତା ରାଲିରେ ଯୋଗ ଦେଇଥିଲେ। ଏହି ଅବସରରେ ବିଜେପି ବିରୋଧୀରେ ସବୁ ନେତା ଏକଜୁଟ ହେବା କଥା କହିଥିଲେ। ଏବେ ମମତା ମେଣ୍ଟରୁ ମୁହଁ ମୋଡ଼ି ନେବା ବିରୋଧୀ ମେଣ୍ଟକୁ ଅଡ଼ୁଆରେ ପକାଇପାରେ ବୋଲି କୁହାଯାଉଛି।

Related Posts