କୋଲକାତା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପଶ୍ଚିମବଙ୍ଗ ଗସ୍ତରେ ଯାଇ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ବିଜେପିର ‘ପରିବର୍ତ୍ତନ ଯାତ୍ରା’ ରାଲିକୁ ସମ୍ବୋଧନ କରିଥିଲେ। ତେବେ ଏହା ପୂର୍ବରୁ ପରେଡ ଗ୍ରାଉଣ୍ଡଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଗିରିଶ ପାର୍କ ଅଞ୍ଚଳରେ ତୃଣମୂଳ କଂଗ୍ରେସ (ଟିଏମସି) ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଘଷାଘଷି ଘଟିଥିଲା।ଏହି ଘଟଣାରେ ଦୁଇ ପକ୍ଷର ୩୦ରୁ ଅଧିକ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ବିଜେପି ସମର୍ଥକମାନଙ୍କ ଅଭିଯୋଗ ଅନୁସାରେ, ସେମାନେ ମୋଦୀଙ୍କ ସମର୍ଥନରେ ନାରା ଦେଇ ରାଲି ସ୍ଥଳକୁ ଯାଉଥିବା ବେଳେ ହଠାତ୍ ସେମାନଙ୍କ ଉପରେ ପଥରମାଡ଼ କରାଯାଇଥିଲା ଏବଂ ଗାଳିଗୁଲଜ ହୋଇଥିଲା।ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁଯାୟୀ, ଦୁଇ ଦଳର କର୍ମୀମାନେ ପରସ୍ପର ଉପରେ ପଥରମାଡ଼ କରିବା ସହ ନାରାବାଜି କରୁଥିଲେ। ଏହି ସଂଘର୍ଷରେ ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।ଅନ୍ୟପଟେ ସ୍ଥାନୀୟ ଟିଏମସି କର୍ମୀମାନେ ବିଜେପିର ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ପ୍ରଥମେ ବିଜେପି ସମର୍ଥକମାନେ ସେମାନଙ୍କ ଉପରକୁ ପଥରମାଡ଼ କରିଥିଲେ ଏବଂ ଗାଳିଗୁଲଜ କରିଥିଲେ। ଏପରିକି ସ୍ଥାନୀୟ ଟିଏମସି ନେତାଙ୍କ ଘର ଉପରେ ମଧ୍ୟ ପଥରମାଡ଼ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।ଘଟଣା ପରେ ପୁଲିସର ଏକ ବଡ଼ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ରାଜ୍ୟବ୍ୟାପୀ ‘ପରିବର୍ତ୍ତନ ଯାତ୍ରା’ର ସମାପନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେଇଥିଲେ।





