ଅର୍ଚ୍ଚନା ନାଗକୁ ରିମାଣ୍ଡରେ ଆଣିବାକୁ ଇଡିର ସଜବାଜ, ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କ ସହ କରିବ ମୁହାଁମୁହିଁ ଜେରା !

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ଲାକମେଲିଂ ମାମଲାରେ ଜେଲରେ ଥିବା ଅର୍ଚ୍ଚନା ନାଗ ରିମାଣ୍ଡରେ ଆସିବେ। ଅର୍ଚ୍ଚନାକୁ ରିମାଣ୍ଡରେ ଆଣିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଯୋଜନା ଚାଲିଛି। ଏନେଇ ଇଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଇଡି ଆସନ୍ତାକାଲି ଅର୍ଚ୍ଚନାଙ୍କ ପ୍ରଡକ୍ସନ ରିମାଣ୍ଡ ଆବେଦନ ପାଇଁ ପ୍ରସ୍ତୁତି କରୁଛି। ଅର୍ଚ୍ଚନା ନାଗକୁ ଇଡି ରିମାଣ୍ଡରେ ଆଣିଲେ ବଡ଼ ଗୁମର ଖୋଲିପାରେ। ଅର୍ଚ୍ଚନାକୁ ରିମାଣ୍ଡରେ ଆଣି ଇଡି ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିପାରେ।

ତେବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ସୋମବାର ଇଡି ସମନ ଜାରି କରିଥିଲା। ଆଜି ଜେରା ପାଇଁ ଇଡି ଅଫିସ୍‌କୁ ଶ୍ରଦ୍ଧାଞ୍ଜଳି ବେହେରା ଯାଇଥିଲେ। ଶ୍ରଦ୍ଧାଞ୍ଜଳିଙ୍କ ପରେ ପରେ ଇଡି ଅଫିସ୍‌ରେ ପ୍ରଯୋଜକ ଅକ୍ଷୟ ପରିଜା ମଧ୍ୟ ପହଞ୍ଚିଥିଲେ। ଆଜି ଉଭୟଙ୍କୁ ଇଡି ଜେରା କରିଛି।

ସେହିପରି ମଙ୍ଗଳବାର ଦିନ ମଧ୍ୟ ଅକ୍ଷୟ ପରିଜାଙ୍କୁ ଇଡି ୯ଘଣ୍ଟା ଜେରା କରିଥିଲା । ଗତକାଲି ଇଡି ଅଫିସରୁ ବାହାରିବା ପରେ ଅକ୍ଷୟ ପରିଜା କହିଥିଲେ, ତାଙ୍କର ନ୍ୟାୟପାଳିକା ଉପରେ ବିଶ୍ୱାସ ରହିଛି, ଆଇନ ତା ବାଟରେ ଯିବ । ଦୋଷୀ ନିଶ୍ଚିତ ଦଣ୍ଡ ପାଇବ।

ସେହିଭଳି ଆଜି ଇଡି କାର୍ଯ୍ୟାଳୟରେ ହଜାର ହେବା ପୂର୍ବରୁ ଅକ୍ଷୟ ପ୍ରତିକ୍ରିୟା ଦେଇ ଗଣମାଧ୍ୟମ ପ୍ରତିନିଧି ଙ୍କ ଉପରେ ରୋଷ ଜାହିର କରିଥିଲେ। ସେ କହିଥିଲେ ଯେ, ତାଙ୍କ ନାଁରେ ମିଥ୍ୟା ଖବର ପରିବେଷଣ କରାଯାଉଛି । ସେ ପୀଡିତ, ତେଣୁ ମିଡିଆ ତାଙ୍କୁ ଭାଇ, ମାମୁଁ, ଦାଦା ଭିତରୁ ଜଣେ ବୋଲି ଭାବନ୍ତୁ । ଗଣମାଧ୍ୟମ ଦାୟିତ୍ୱହୀନତା ଭାବେ ଖବର ପରିବେଷଣ କରୁଥିବା ସେ କହିଥିଲେ । ଇଡି ଅଫିସରୁ ଫେରିବା ପରେ ସବୁକଥା ସବିଶେଷ ଭାବେ ଜଣାଇବେ ବୋଲି କହିଥିଲେ ।

Related Posts