ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ନ୍ୟାୟିକ ବ୍ୟବସ୍ଥାରେ ପୁଣି ଇତିହାସ ରଚିଛି ଓଡ଼ିଶା ହାଇକୋର୍ଟ। ଜୁଲାଇ ୨୬ ତାରିଖରେ ଓଡ଼ିଶା ହାଇକୋର୍ଟ ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଯାଉଥିବା ବେଳେ ଏହାକୁ ଅଧିକ ସ୍ମରଣୀୟ କରିବା ପାଇଁ ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ଗୋଟିଏ ଦିନରେ ୭୫ଟି ମାମଲାର ରାୟ ପ୍ରକାଶ କରିଛନ୍ତି। ବିଚାରପତି ଜଷ୍ଟିସ ଦେବବ୍ରତ ଦାଶ ଓ ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ସୋମବାର ୭୫ଟି ମାମଲାର ରାୟ ପ୍ରକାଶ କରିଛନ୍ତି।
ଏହି ସବୁ ମାମଲା ମଧ୍ୟରୁ ଅଧିକାଂଶ ୭ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ଥିଲା। ଆଇପିସିର ଦଫା ୩୦୨ରେ ରୁଜୁ ହତ୍ୟା ମାମଲାରେ ରାଜ୍ୟର ବିଭିନ୍ନ ସ୍ଥାନର ଦୌରା ଜଜ୍ ଅଦାଲତ ପ୍ରଦାନ କରିଥିବା ରାୟ ବିରୋଧରେ ଏହି ସବୁ କ୍ରିମିନାଲ ଅପିଲ ହାଇକୋର୍ଟରେ ଦାୟର କରାଯାଇଥିଲା। ୨୦୨୩ ଜୁନ୍ ୨୧ରୁ ଏହି ସବୁ ମାମଲାର ହାଇକୋର୍ଟ ଶୁଣାଣି ଆରମ୍ଭ କରିଥିଲେ। ପୂର୍ଣ୍ଣାଙ୍ଗ ଶୁଣାଣି ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଆଜି ମାମଲା ଗୁଡ଼ିକର ରାୟ ପ୍ରକାଶ ପାଇଛି। ଏହା ଦେଶର ନ୍ୟାୟିକ ବ୍ୟବସ୍ଥାରେ ଭବିଷ୍ୟତ ପାଇଁ ଏକ ଉଦାହରଣ ତଥା ଉଲ୍ଲେଖନୀୟ ଘଟଣା ହୋଇ ରହିବ ବୋଲି କୁହାଯାଉଛି।
ଓଡ଼ିଶା ହାଇକୋର୍ଟ ଏହାର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଜୁଲାଇ ୨୬ରେ ପାଳନ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେବାକୁ ଯାଉଛନ୍ତି। ଦେଶର ବିଚାର ବ୍ୟବସ୍ଥାରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଓ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ନୂଆ ନୀତି ଅବଲମ୍ବନ ପରିପ୍ରେକ୍ଷୀରେ ହାଇକୋର୍ଟଙ୍କ ଏହି ପଦକ୍ଷେପ ଉତ୍ସାହର କାରଣ ହୋଇଛି। ଅନେକ ଆବେଦନର ବିଚାର କରି ଖଣ୍ଡପୀଠ ନିମ୍ନ ଅଦାଲତଙ୍କ ରାୟ ରଦ୍ଦ କରିଛନ୍ତି। ଏହି ସବୁ ମାମଲା କାରଣରୁ ଦୀର୍ଘ ବର୍ଷ ହେବ ଜେଲରେ ଥିବା ଅନେକ ଅଭିଯୁକ୍ତ ଦୋଷମୁକ୍ତ ହୋଇ ଜେଲରୁ ମୁକ୍ତ ହେବାର ସୁଯୋଗ ପାଇଛନ୍ତି। ସେହିପରି ଆଉ କେତେକ ମାମଲାରେ ନିମ୍ନ ଅଦାଲତର ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି।
ନିକଟରେ ନୂଆଦିଲ୍ଲୀ ଠାରେ ସମ୍ବିଧାନ ଦିବସ ପାଳନ ଅବସରରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କ୍ରିମିନାଲ ଅପିଲ ଗୁଡିକର ନିର୍ଦ୍ଧାରିତ ସମୟ ମଧ୍ୟରେ ଫଏସଲା ହେଉ ନଥିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଉପଯୁକ୍ତ ସମୟସୀମା ଭିତରେ ମାମଲା ଗୁଡିକର ଫଏସଲା ହୋଇ ନ ପାରିବା ଯୋଗୁଁ ଅନେକ ନିରୀହ ମଧ୍ୟ ଜେଲରେ ବନ୍ଦି ଜୀବନ ଅତିବାହିତ କରୁଥିବା ନେଇ ରାଷ୍ଟ୍ରପତି ଚିନ୍ତା ପ୍ରକଟ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଓଡିଶା ହାଇକୋର୍ଟର ଖଣ୍ଡପୀଠ ଗୋଟିଏ ଦିନରେ ୭୫ଟି କ୍ରିମିନାଲ ଅପିଲର ରାୟ ପ୍ରକାଶ କରି ଇତିହାସ ରଚିଛନ୍ତି।





