ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ଇଣ୍ଡିଆ ମେଣ୍ଟର ୨୧ ସାଂସଦ, ମଣିପୁରର ଆଇନ ଶୃଙ୍ଖଳା ସ୍ଥିତି ନେଇ କରାଇବେ ଅବଗତ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ହିଂସାଗ୍ରସ୍ତ ମଣିପୁର ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବିରୋଧି ଇଣ୍ଡିଆ ମେଣ୍ଟର ୨୧ ଜଣ ସାଂସଦ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଏବଂ ବିଭିନ୍ନ ଶିବିରରେ ରହୁଥିବା ପୀଡ଼ିତମାନଙ୍କ ସମସ୍ୟା ସଂପର୍କରେ ସେମାନେ ରାଷ୍ଟ୍ରପତିଙ୍କୁ ଅବଗତ କରାଇବେ ବୋଲି ମେଣ୍ଟ ପକ୍ଷରୁ କୁହାଯାଇଛି।ଅନ୍ୟପକ୍ଷରେ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି।

କଂଗ୍ରେସ ସାଂସଦ ଗୌରବ ଗୋଗଇ କହିଛନ୍ତି, ହିଂସା ନେଇ ଇଣ୍ଡିଆ ଟିମ୍‌ର ରିପୋର୍ଟ ସଂସଦରେ ଉପସ୍ଥାପନ କରାଯିବ ଏବଂ ବାସ୍ତବ ସ୍ଥିତି କେତେ ଜଟିଳ ସେ ସଂପର୍କରେ ଆମେ ଲଗାତାର ସଂସଦରେ ପ୍ରଶ୍ନ ଉଠାଇବୁ।

ସେପଟେ ବିଜେପି କହିଛି ଯେ ରାଜନୈତିକ ଫାଇଦା ପାଇଁ ବିରୋଧୀ ମେଣ୍ଟ ମଣିପୁର ସ୍ଥିତିକୁ ନେଇ ଯେଭଳି ରାଜନୀତି କରୁଛି ତାହା ଗ୍ରହଣୀୟ ନୁହେଁ। ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ସବୁ ପ୍ରୟାସ ଜାରି ରହିଛି ଏବଂ ଦୁଇ ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ସରକାର ଅହରହ କାମ କରୁଛନ୍ତି। ତେବେ ବିରୋଧୀ ଦଳମାନେ ସରକାରଙ୍କ ଯୁକ୍ତିକୁ ଖଣ୍ଡନ କରି ମଣିପୁରର ବିସ୍ଫୋରକ ସ୍ଥିତି ପାଇଁ ସରକାରଙ୍କ ବେପରୁଆ କାର୍ଯ୍ୟ ଓ ଉଦାସୀନତା ଦାୟୀ ବୋଲି କହିଛନ୍ତି।

ଦିଲ୍ଲୀ ମହିଳା କମିସନ ମୁଖ୍ୟ ସ୍ବାତୀ ମଲିୱାଲ ମଧ୍ୟ ତାଙ୍କର ମଣିପୁର ଗସ୍ତ ସଂକ୍ରାନ୍ତ ରିପୋର୍ଟ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଛନ୍ତି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ମଣିପୁରରେ ମେ ୩ରୁ କୁକି ଓ ମୈତେୟୀ ସଂପ୍ରଦାୟ ମଧ୍ୟରେ ହିଂସା ଲାଗି ରହିଛି ଏବଂ ଆଜି ସୁଦ୍ଧା ୧୫୦ ଲୋକଙ୍କ ମତ୍ୟୁ ହୋଇଥିବା ସୂଚନା ହସ୍ତଗତ ହୋଇଛି।

Related Posts