ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ମତଦାନ ଶେଷ ହୋଇଛି | ଆରମ୍ଭ ହୋଇଯାଇଛି ଭୋଟ ଗଣନ୍ତି | ଶନିବାର ଠାରୁ ପର୍ଯ୍ୟାୟ କ୍ରମେ ଖୋଲିବାରେ ଲାଗିଛି ଭୋଟ ବାକ୍ସ, ବିଳମ୍ବିତ ରାତି ଯାଏଁ ଚାଲିଥିବା ଭୋଟ ଗଣନ୍ତି | ଶନିବାର ୩୧୫ଟି ଜିଲ୍ଲା ପରିଷଦ ଜୋନ୍ରେ ଭୋଟ ଗଣତି ହୋଇଛି ।
ଆଜି ୩୦୭ଟି ଜିଲ୍ଲା ପରିଷଦ ଜୋନରେ ପୂର୍ବାହ୍ନ ୮ଟାରୁ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଭୋଟ ଗଣତି ହେବ । ସେହିଭଳି ୨୮ ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ହେବ । ମୋଟାମୋଟି ଭାବେ କହିବାକୁ ଗଲେ ୯୧ ହଜାର ୮୯୦ ୱାର୍ଡମେମ୍ବର ପଦବି, ୬୭୯୩ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୮୫୧ ଜିଲ୍ଲା ପରିଷଦ ଜୋନର ବିଜେତା ମାର୍ଚ୍ଚ ୧ ତାରିଖ ଦିନ ଜଣାପଡ଼ିବ ।
ଶନିବାର-ରବିବାର ରାତି ୧ଟା ପର୍ଯ୍ୟନ୍ତ ବିଜେଡି ୨୮୧, ବିଜେପି ୧୪, କଂଗ୍ରେସ ୧୫ ଓ ସ୍ୱାଧୀନ ପ୍ରାର୍ଥୀ ୨ଟି ଜୋନରେ ଆଗୁଆ ଥିଲେ । ଅନ୍ୟମାନେ ୩ଟି ଆସନରେ ଅଗ୍ରଣୀ ଥିଲେ । ସେହିପରି ରାତି ସୁଦ୍ଧା ୫୭ଟି ଆସନର ଫଳାଫଳ ପ୍ରକାଶ ପାଇଛି । ଏଥିରୁ ବିଜେଡିକୁ ୩୩ଟି, କଂଗ୍ରେସକୁ ୬ ଓ ବିଜେପିକୁ ୫ଟି ଜୋନରେ ବିଜୟ ମିଳିଛି । ପ୍ରଥମ ଦିନର ଗଣତିର ରାତି ୧ଟା ପର୍ଯ୍ୟନ୍ତ ୨୧ଟି ଜିଲ୍ଲାରେ ବିଜେପି ଓ ୨୩ଟି ଜିଲ୍ଲାରେ କଂଗ୍ରେସକୁ ଭଲ ଭୋଟ ମିଳି ନଥିବା କୁହାଯାଉଛି । ତେବେ ଭୋଟ ଗଣତି ଶେଷ ହେଲା ପରେ କିଛି କୁହାଯାଇପାରିବ ।
ପ୍ରଥମ ଦିନ ଗଣତି ସୁଦ୍ଧା ପ୍ରାୟ ୧୬ଟି ଜିଲ୍ଲାରେ ବିଜେପି ଖାତା ଖୋଲି ନଥିବାବେଳେ ୨୨ଟି ଜିଲ୍ଲାରେ କଂଗ୍ରେସ ଖାତା ଖୋଲିପାରିନି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୭ ପଂଚାୟତ ନିର୍ବାଚନରେ ଯେଉଁଠି ବିଜେପି ଭଲ ପ୍ରଦର୍ଶନ କରିଥିଲା ଏବଂ ପରବର୍ତୀ ସମୟରେ ସରକାର ବିରୋଧୀ ପ୍ରସଙ୍ଗ ସୃଷ୍ଟି ହୋଇଥିଲା, ସବୁ ସ୍ଥାନରେ ବିଜେଡି ଭଲ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି ।





