ନୂଆଦିଲ୍ଲୀ : ଆଜି ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଦୁଇ ଦଳ ବିଜୟ ଲକ୍ଷ୍ୟକୁ ନେଇ ମଇଦାନ କୁ ଓହ୍ଲାଇବେ । ପ୍ରଥମ ମ୍ୟାଚ୍କୁ ଏକତରଫା ଭାବେ ଜିତିବା ପରେ ଭାରତୀୟ ଦଳର ଲକ୍ଷ୍ୟ ଏବେ ସିରିଜ ଉପରେ । ଅନ୍ୟ ପଟରେ ଘରୋଇ ଦଳ ପ୍ରତ୍ୟାବର୍ତ୍ତନ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଲାଗିଛି ।
ଓଭାଲ ଗ୍ରାଉଣ୍ଡ ଭଳି ଲର୍ଡ୍ସରେ ମଧ୍ୟ ଆଧିପତ୍ୟ ଜାରି ରଖିବାକୁ ରୋହିତ ଶର୍ମା ଓ ସାଥୀ ଲକ୍ଷ୍ୟ ରଖିଛନ୍ତି । ଏପଟେ ବୁମରାଙ୍କ ଘାତକ ସୁଇଂ ବୋଲିଂ ଦେଖିବା ପରେ ଇଂଲଣ୍ଡ ବ୍ୟାଟରଙ୍କ ନିଦ ହଜି ଯାଇଛି । ଟି-ଟ୍ୱେଣ୍ଟିରେ ଭୁବନେଶ୍ୱର କୁମାରଙ୍କ ସୁଇଂ ବୋଲିଂକୁ ପରଖିବାରେ ଜୋସ ବଟଲର ଓ ସାଥୀ ବ୍ୟାଟରମାନେ ବିଫଳ ହୋଇଥିଲେ । ଦିନିକିଆ ଦଳକୁ ଜୋ ରୁଟ୍, ଜନି ବେୟାରଷ୍ଟୋ ଓ ବେନ୍ ଷ୍ଟୋକ୍ସ ଫେରିବା ପରେ ଇଂଲଣ୍ଡ ଦମ୍ ଦେଖାଇବା ବୋଲି ଆଶା କରାଯାଉଥିଲା । କିନ୍ତୁ ବୁମରା ବୋଲିଂ ଆରମ୍ଭ କରିବା ପରେ ସବୁ ପୂର୍ବାନୁମାନ ବଦଳି ଯାଇଥିଲା ।
ବୁମରାଙ୍କୁ ସାମ୍ନା କରିବା ପାଇଁ ଇଂଲଣ୍ଡର ଷ୍ଟାର ବ୍ୟାଟରମାନେ କିଛି ସ୍ୱତନ୍ତ୍ର ଯୋଜନା କରିବେ ବୋଲି ଆଶା କରାଯାଉଛି । ବିଶେଷ କରି ପ୍ରଥମ ମ୍ୟାଚରେ ଖାତା ଖୋଲିପାରି ନଥିବା ଜାସନ ରୟ, ରୁଟ୍, ଷ୍ଟୋକ୍ସ, ଲାଏମ ଲିଭିଙ୍ଗଷ୍ଟୋନଙ୍କୁ ଦକ୍ଷତା ଦେଖାଇବାକୁ ହେବ । ଭାରତର ବ୍ୟାଟିଂ ବିଭାଗ ମଧ୍ୟ ଅନୁରୂପ ଶକ୍ତିଶାଳୀ ରହିଛି । ତେଣୁ ପ୍ରଥମେ ବ୍ୟାଟିଂ ମିଳିଲେ ଘରୋଇ ଦଳକୁ ବିଶାଳ ସ୍କୋର ଛିଡ଼ା କରିବାକୁ ପଡ଼ିବ ।
ଭାରତୀୟ ଦଳରେ ଆହତ ସମସ୍ୟା ଲାଗି ରହିଥିଲେ ହେଁ ଯୁବ ଖେଳାଳିମାନେ ଉନ୍ନତ ପ୍ରଦର୍ଶନ କରୁଥିବାରୁ ବିଜୟ ଆଶା କରାଯାଉଛି । ପ୍ରଥମ ମ୍ୟାଚ୍ରେ ରୋହିତ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଶିଖର ଧାୱନ ମଧ୍ୟ ଫର୍ମରେ ଥିବା ସ୍ପଷ୍ଟ ହୋଇଛି । ଅନ୍ୟମାନଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳି ନଥିଲା । କେବଳ ଶ୍ରେୟାସ ଆୟରଙ୍କ ଫର୍ମକୁ ନେଇ ଚିନ୍ତା ରହିଛି । ଇଂଲଣ୍ଡ ବୋଲରମାନେ ସର୍ଟ ପିଚ୍ ବଲ୍ରେ ଆୟରଙ୍କୁ ବାରମ୍ବାର ଆଉଟ୍ କରିଛନ୍ତି ।
ଭାରତ ବୋଲିଂ ବିଭାଗ ଅପେକ୍ଷାକୃତ ଶକ୍ତିଶାଳୀ । ବୁମରା, ମହମ୍ମଦ ସାମି ଓ ପ୍ରସିଦ୍ଧ କ୍ରିଷ୍ଣା ପ୍ରଥମ ମ୍ୟାଚ୍ରେ ଚମତ୍କାର ବୋଲିଂ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ । ଲର୍ଡ୍ସ ପିଚ୍ ମଧ୍ୟ ପେସ୍ ବୋଲରଙ୍କୁ ସୁହାଇବ । ଓଭାଲ୍ ଭଳି ଲର୍ଡ୍ସରେ ମଧ୍ୟ ସ୍ଥାନୀୟ ଜଳବାୟୁର ଫାଇଦା ଉଠାଇ ହେବ । ତେଣୁ କୋହଲା ପାଗକୁ ନେଇ ଭାରତୀୟ ପେସ୍ ବୋଲରମାନେ ବେଶ୍ ଉତ୍ସାହିତ ଅଛନ୍ତି ।





