ବ୍ରହ୍ମପୁର: କନ୍ଧମାଳ ଜିଲ୍ଲା କଳିଙ୍ଗାଘାଟିରେ ବଡ ଅଘଟଣ | ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି | କଳିଙ୍ଗା ଘାଟିରେ ଏକ ଟୁରିଷ୍ଟ ବସ୍ ଓଲଟି ପଡିଛି | ଫଳରେ ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୪୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି | ସମସ୍ତ ଆହତ ୧୫ ଜଣଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସ୍ଟି ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି ।
ଗତକାଲି ଟୁରିଷ୍ଟ ବସ୍ଟି ଫୁଲବାଣୀରୁ ପଶ୍ଚିମବଙ୍ଗ ଅଭିମୁଖେ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା । ମାତ୍ର ବିଳମ୍ବିତ ରାତିରେ କଳିଙ୍ଗା ଘାଟିରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡ଼ିଟି ଘାଟିରୁ ତଳକୁ ଖସି ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ବସ୍ ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି।
ଖବର ପାଇ ତୁରନ୍ତ ଭଞ୍ଜନଗର ଓ ଜି.ଉଦୟଗିରି ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତରଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତାହତ ଯାତ୍ରୀମାନେ ପଶ୍ଚିମବଙ୍ଗ ହାଓଡ଼ା ଅଞ୍ଚଳର ବୋଲି ଜଣାପ଼ଡ଼ିଛି । ମୃତକ ଓ ଗୁରୁତରଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଥିବା ବି ଜଣାଯାଇଛି।
ସୂଚନାଯୋଗ୍ୟ, କଳିଙ୍ଗା ଘାଟି ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ସ୍ପଟ ହୋଇଥିବା ବେଳେ ଉକ୍ତ ଘାଟି ରାସ୍ତା ଦେଇ କିପରି ସୁରକ୍ଷିତ ଭାବେ ଗାଡ଼ି ଚାଳନା କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି |





