ଭୁବନେଶ୍ୱର,୧୬/୩ (ସତ୍ୟପାଠ ବ୍ୟୁରୋ): ଆଜି ରାଜଧାନୀରେ ଅଟୋ ଚଳାଚଳ ଏକପ୍ରକାର ବନ୍ଦ୍ ଅଛି। କାଁଭାଁ ଅଟୋ ଚାଲୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଗତକାଲି ଆନ୍ଦୋଳନ ବେଳେ ଡ୍ରାଇଭର ମହାସଂଘର ଦିଆଯାଇଥିବା ଅପମାନର ପ୍ରତିଶୋଧ ନେବା ଲାଗି ଆଜି ଅଟୋ ଡ୍ରାଇଭରମାନେ ଏହାର ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ। ଏଥିଲାଗି ଆଗି ରାଜଧାନୀର ଲୋୟର ପିଏମଜି ଛକ ଓ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ବହୁସଂଖ୍ୟକ ଅଟୋଚାଳକ ଏକତ୍ରିତ ହୋଇ ଧାରଣା ଦେଇଛନ୍ତି।
ସଂଘର ସଭାପତି କହିଛନ୍ତି, ଡ୍ରାଇଭର ମହାସଂଘ ପକ୍ଷରୁ କିଛି ଅଟୋ ଚାଳକଙ୍କୁ ବଳପୂର୍ବକ ଅଟକାଯାଇ ‘ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ’ ଲେଖା ଥିବା ପ୍ଲା କାର୍ଡ ଧରାଇ ଫଟୋ ଉଠାଯାଉଥିଲା। ଏହାକୁ ପ୍ରବଳ ବିରୋଧ କରିଛନ୍ତି ଅଟୋଚାଳକ ସଂଘ। ଯେଉଁମାନେ ଏହି କାମରେ ଲିପ୍ତ ସେମାନଙ୍କୁ ଗିରଫ କରାଯାଉ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ସୂଚନାଯୋଗ୍ୟ, ଗତକାଲିଠାରୁ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଅଟୋ ଚାଳକ ସଂଘ। ଡ୍ରାଇଭର ମହାସଂଘର ସଦସ୍ୟମାନେ ଅଟୋଚାଳକଙ୍କୁ ଯାତ୍ରୀମାନଙ୍କ ସାମ୍ନାରେ ପ୍ଲା କାର୍ଡ ଧରାଇବା ସହ ଫୁଲମାଳ ଦେଇ ଅପମାନିତ କରିଥିଲେ। ଆଉ ଏହାକୁ ବିରୋଧ କରି ୧୬ ତାରିଖରେ ଅଟୋ ଚଳାଚଳ ବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଥିଲା। ଆଜି ପୁଲିସ ଡିଜିଙ୍କୁ ଭେଟିବ ଅନଲାଇନ୍ ଅଟୋ ଚାଳକ ସଂଘ। ମିଳିତ ମହାସଂଘର ଡ୍ରାଇଭରଙ୍କୁ ଏମିତି କହିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛି ସଂଘ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କ ପାଖେ ଦାବି କରିବେ। ଅଟୋ ସଂଘର ଡାକରାରେ ୧୦ ହଜାରରୁ ଉର୍ଦ୍ଧ୍ବ ଚାଳକ ଲୋୟର ପିଏମଜି ଓ ଜନପଥରେ ଧାରଣା ଦେବେ ବୋଲି ଚେତାବନୀ ଦେଇଥିଲେ।





