ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5t ଇନଚାର୍ଜ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ | ବିଶେଷ କରି ଜଣେ ସଚିବ ହେଲିକ୍ୟାପ୍ଟରରେ ଯାଇ ଅଭିଯୋଗ ସଂଗ୍ରହ କରିବାକୁ ନେଇ ପ୍ରଶ୍ନ ଉଠାଯାଉଛି | ବିରୋଧୀ ତ ବିରୋଧୀ ଖୋଦ ଶାସକ ଦଳର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ, ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ସରକାରଙ୍କୁ ଅକଳରେ ପକାଇଛନ୍ତି | ଆଉ ଆଜି ଏହାର ଜବାବ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ।
ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, କୁଚକ୍ରୀ ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯେଉଁଭଳି ଭାବେ ଲୋକଙ୍କ ସମସ୍ୟା ବୁଝି ସମାଧାନ କରୁଛି ତାହା ଦେଖି ସେମାନଙ୍କର ମୁଣ୍ଡ କାମ କରୁନି। ଏମାନେ ଚାହୁଁନଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ, ସେଥିପାଇଁ ବିଭ୍ରାନ୍ତିକର ବକ୍ତବ୍ୟ ଦେଇଚାଲିଛନ୍ତି। କିଏ କହୁଛି ହେଲିକପଟରରେ ଗସ୍ତ ବାବଦକୁ ୩୦୦ କୋଟି ଖର୍ଚ୍ଚ ହୋଇଛି ତ’ କିଏ କହୁଛି ୫୦୦ କୋଟି। ସେମାନଙ୍କ ନିଜ କଥାରେ ବି ତାଳମେଳ ନାହିଁ। ପ୍ରକୃତରେ ଗତ ୫ ବର୍ଷରେ ହେଲିକପଟରରେ ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଖର୍ଚ୍ଚ ହୋଇଛି। ଅର୍ଥାତ୍ ବର୍ଷକୁ ହାରାହାରି ୧୦ ରୁ ୧୨ କୋଟି ଟଙ୍କା ବ୍ୟୟ ହୋଇଛି। ଆସନ୍ତା ବିଧାନସଭା ଅଧିବେଶନରେ ମୁଁ ଏବାବଦରେ ସବୁ ତଥ୍ୟ ରଖିବି। ସେତେବେଳେ ଏମାନଙ୍କର ସବୁ ମିଥ୍ୟା ପ୍ରଚାର ଧରାପଡିଯିବ ଓ ମୁଖା ଖୋଲିଯିବ। ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏପରି ମିଥ୍ୟା ପ୍ରଚାର କରୁଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା ଦରକାର ବୋଲି ମନ୍ତ୍ରୀ ତଃ ଟୁକୁନି ସାହୁ କହିଛନ୍ତି ।

ତେବେ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ପ୍ରଥମେ ସୌମ୍ୟ ବାବୁ ପ୍ରଶ୍ନ ଉଠାଇଥିଲେ | ହେଲିକ୍ୟାପ୍ଟରରେ ସାରା ରାଜ୍ୟ ବୁଲିବାରେ ରାଜ୍ୟ ରାଜକୋଷରୁ ପାଖାପାଖି 300 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୌମ୍ୟ ନିଜ ସମ୍ପାଦକୀୟରେ ଲେଖିଥିଲେ | ସେପଟେ ରବିବାର ବିରୋଧୀ ବିଜେପି ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲା | ଏପରିକି ସଚିବ ନିଜ ବ୍ୟକ୍ତିଗତ କାମରେ ମଧ୍ୟ ହେଲିକ୍ୟାପ୍ଟର ବ୍ୟବହାର କରୁଥିବା ନେଇ ଦଳ ଅଭଯୋଗ କରିଥିଲା | ଆଉ ଏଭଳି ଘନ ଘନ ପ୍ରଶ୍ନ ବାଣ ପରେ ଏବେ ନିଜେ ପରିବହନ ମନ୍ତ୍ରୀ ସାମ୍ନାକୁ ଆସି ଏହାକୁ କାଉଣ୍ଟର କରିଛନ୍ତି | ଏହି ପ୍ରସଙ୍ଗ ଏବେ ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିବା ବେଳେ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଆଉ କଣ ଅଧିକ ତଥ୍ୟ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା |





