ଭୁବନେଶ୍ୱର,୧୫/୪(ସତ୍ୟପାଠ ବ୍ୟୁରୋ): ସଚିନ ପାଇଲଟ ତୁମ ନମ୍ବର କେବେ ପଡିବନି। କାହିଁକି ନା ତୁମର ଚାନ୍ଦାର ପରିମାଣ ଅଶୋକ ଗେହଲଟଙ୍କ ଚାନ୍ଦାର ପରିମାଣ ଠାରୁ ଢେର କମ୍ । ଆଜି କିଛି ଏଭଳି କହି ରାଜସ୍ଥାନ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ବରିଷ୍ଠ ନେତା ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କଳିରେ ଘିଅ ଢାଳିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।
କଂଗ୍ରେସ ସବୁବେଳେ ସଚିନ ପାଇଲଟଙ୍କ ତୁଳନାରେ ଅଶୋକ ଗେହଲଟଙ୍କୁ ପ୍ରାଧ୍ୟାନ୍ୟ ଦେଇ ଆସିଛି। କାରଣ ସେ କଂଗ୍ରେସ ପାଣ୍ଠିକୁ ରାଜ୍ୟର ଦୁର୍ନୀତି ଟଙ୍କା ଅଧିକ ମାତ୍ରାରେ ଦେଉଛନ୍ତି ବୋଲି ଶାହ ଅଭିଯୋଗ କରିଛନ୍ତି।ରାଜସ୍ଥାନର ଭରତପୁରରେ ବୁଥସ୍ତରୀୟ ବିଜେପି କର୍ମୀଙ୍କୁ ସମ୍ବୋଧନ କରି ଶାହ କହିଛନ୍ତି, ପାଇଲଟ ଯାହା କିଛି କରି ଧାରଣାରେ ବସିଲେ ମଧ୍ୟ ତାଙ୍କ ନମ୍ବର କେବେ ବି ଆସିବ ନାହିଁ। କାରଣ କଂଗ୍ରେସ ପାଣ୍ଠି ପ୍ରତି ତାଙ୍କର ଯୋଗଦାନ ଗେହଲଟଙ୍କ ଯୋଗାଦାନ ତୁଳନାରେ କମ। ଗେହଲଟଙ୍କ ଯୋଗାଦାନ ସବୁବେଳେ ଅଧିକ ରହିଛି। ଗେହଲଟ ରାଜସ୍ଥାନ ସରକାରକୁ ଦୁର୍ନୀତିର ଆଡ୍ଡା ବନାଇ ବସିଛନ୍ତି। ସେ ରାଜ୍ୟକୁ ଲୁଟ କରୁଛନ୍ତି। ଦୁର୍ନୀତିରୁ ମିଳୁଥିବା ଟଙ୍କା କଂଗ୍ରେସ ପାଣ୍ଠିକୁ ଯାଉଛି ବୋଲି ଶାହ କହିଛନ୍ତି।
ସେହିପରି ୨୦୦୮ ଜୟପୁର ବୋମା ବିସ୍ଫୋରଣ ମାମଲାରେ କଂଗ୍ରେସର ତୁଷ୍ଟିକରଣ ରାଜନୀତି ଯୋଗୁଁ ଅଭିଯୁକ୍ତ ମାନେ ନିର୍ଦ୍ଦୋଷରେ ଖଲାସ ହୋଇଯାଇଥିବା ଶାହ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ସରକାର ଭୋଟ ବ୍ୟାଙ୍କ ରାଜନୀତି ପାଇଁ ହାଇକୋର୍ଟରେ ଉପଯୁକ୍ତ ପ୍ରମାଣ ଦାଖଲ କରି ନଥିଲେ। ରାଜସ୍ଥାନ ସରକାର ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ ନେଇ ଭୋଟ ବ୍ୟାଙ୍କ ରାଜନୀତି କରୁଛି। ଏହା ସହିତ ରାଜସ୍ଥାନରେ ୩-ଡି ସରକାର ଚାଲିଛି ବୋଲି ସେ କହିଛନ୍ତି। ୩-ଡିର ଅର୍ଥ ଡେଞ୍ଜର, ଦଳିତ ଓ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ବୋଲି ଶାହ କହିଛନ୍ତି।
ଏହାସହିତ ଆଗାମୀ ନିର୍ବାଚନରେ ବିଜେପି ରାଜସ୍ଥାନରେ ଦୁଇ ତୃତୀୟାଂଶ ଭୋଟ ସହ ସରକାର ଗଠନ କରିବ ଓ ପୁଣି ୨୫ଟି ଯାକ ଲୋକସଭା ଆସନ ଜିତିବ ବୋଲି ଶାହ ଦୃଢୋକ୍ତି ପ୍ରକାଶ କରିବା ସହିତ କର୍ମୀଙ୍କ ଉତ୍ସାହ ବଢାଇଛନ୍ତି।





