ଭାରତକୁ ଟ୍ରମ୍ପଙ୍କ ଧମକ: କହିଲେ, ପୁଣି ରାଷ୍ଟ୍ରପତି ହେଲେ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଲଗେଇବି ଅଧିକ ଟ୍ୟାକ୍ସ

ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ଭାରତକୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ। କହିଲେ, ମୁଁ ପୁଣି ରାଷ୍ଟ୍ରପତି ହେଲେ ଭାରତକୁ ଦେବି ଉଚିତ ଶିକ୍ଷା । କିଛି ଆମେରିକା ଉତ୍ପାଦକ ସାମଗ୍ରୀ ଉପରେ ଭାରତ ପକ୍ଷରୁ ଲଗାଯାଇଥିବା ଟାକ୍ସକୁ ନେଇ ଭାରତକୁ ଏଭଳି ଧମକ ଦେଇଛନ୍ତି ଟ୍ରମ୍ପ । ବିଶେଷ କରି ହାର୍ଲେ-ହେବିଡସନ ମୋଟର ସାଇକେଲ ଉପରେ ଭାରତ ପକ୍ଷରୁ ଲଗାଯାଇଥିବା ଟାକ୍ସକୁ ଲକ୍ଷ୍ୟ ରଖି ଟ୍ରମ୍ପ କହିଛନ୍ତି, ଯଦି ୨୦୨୪ରେ ମୁଁ ପୁଣି ରାଷ୍ଟ୍ରପତି ଭାବେ ଜିତିବି, ତେବେ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅଧିକ ରୁ ଅଧିକ ଟ୍ୟାକ୍ସ ଲଗାଇବି।

ତେବେ ୨୦୧୯ରେ ଟ୍ରମ୍ପ ଯେତେବେଳଳେ ଆମେରିକାର ରାଷ୍ଟ୍ରପତି ଥିଲେ, ସେତେବେଳେ ଭାରତ ଲାଗୁଥିବା ଅଧିକ ଟ୍ୟାକ୍ସ ଯୋଗୁଁ ସେ ଭାରତକୁ ‘ଟାକ୍ସ କିଙ୍ଗ’ ବୋଲି କହୁଥିଲେ । ସେ ଆହୁରି ଅଭିଯୋଗ କରିଛନ୍ତି, ଭାରତ ଆମେରିକାକୁ ନିଜ ମାର୍କେଟରେ ଠିକ ଭାବେ ପହଞ୍ଚିବାକୁ ଦେଉନି । ସେ କହିଛନ୍ତି, ମୁଁ ଚାହେଁ, ୟୁନିଫର୍ମ ଟାକ୍ସ । ହେଲେ ଭାରତ ଅଧିକ ଟାକ୍ସ ଲଗାଉଛି । ହାର୍ଲି-ହେବିସନ ସହ ଏପରି ହୋଇଥିବା ମୁଁ ଦେଖିଛି । ଭାରତରେ ୧୦୦/୧୫୦ ଏପରିକି ୨୦୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଲଗାଯାଉଥିବା ସେ କହିଛନ୍ତି। ଯଦି ଭାରତ ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଉଛି ତେବେ ଆମେ ବି ତାଙ୍କ ଉପରେ ଅଧିକ ଟ୍ୟାକ୍ସ ଲଗାଇବା ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଟ୍ରମ୍ପ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଲଢିବା ପାଇଁ ଘୋଷଣା କରିଛନ୍ତି । ସେ ରିପବ୍ଲିକ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ଲଢିବେ । ତେବେ ଗତ ବୁଧବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବାକୁ ଥିବା ପ୍ରାଥମିକ ଆଲୋଚନାରେ ଟ୍ରମ୍ପ ଯୋଗ ଦେଇ ନାହାନ୍ତି ।

Related Posts