ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଏନସିପି ସୁପ୍ରିମୋ ଶରଦ ପାୱାର ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶନିବାର ଦିନ ପୁଣେର ବ୍ୟବସାୟୀ ଅତୁଲ ଚୋର୍ଡିଆଙ୍କ ବାସଭବନଠାରେ ଏକ ଗୁପ୍ତ ବୈଠକ କରିଥିଲେ। ପରେ ଶରଦ ପାୱାର ଏହି ବୈଠକ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଅଜିତ ପାୱାର ହେଉଛନ୍ତି ତାଙ୍କ ପୁତୁରା । ପରିବାର ସଦସ୍ୟଙ୍କୁ ଭେଟିବାକୁ ନେଇ କୌଣସି ଚର୍ଚ୍ଚା ହେବାର ଆବଶ୍ୟକତା ନାହିଁ | ଶରଦ ପାୱାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମ (ଏନସିପି) ରୁ କେହି ବିଜେପିରେ ଯୋଗଦେବେ ନାହିଁ।
ସେ କହିଛନ୍ତି ଯେ ସେ ତାଙ୍କ ପରିବାରର ବରିଷ୍ଠ ବ୍ୟକ୍ତି। ଯଦି କେହି ପରିବାରର ସଦସ୍ୟ ତାଙ୍କୁ ଭେଟିବାକୁ ଆସନ୍ତି ତେବେ ଏହା ଆଲୋଚନାର ବିଷୟ ହେବା ଉଚିତ ନୁହେଁ |ଶରଦ ପାୱାର କହିଛନ୍ତି ଯେ କିଛି ‘ଶୁଭେଚ୍ଛୁ’ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ସେ କେବେବି ବିଜେପି ସହ ମେଣ୍ଟ କରିବେ ନାହିଁ। ଭାରତୀୟ ଜନତା ପାର୍ଟି ସହିତ କୌଣସି ପ୍ରକାର ବୁଝାମଣା ଏନସିପିର ରାଜନୈତିକ ନୀତିର ପରିପନ୍ଥୀ। ଆମ ମଧ୍ୟରୁ କେତେକ (ଅଜିତ ପୱାରଙ୍କ ନେତୃତ୍ବ ଏନସିପି ଗୋଷ୍ଠୀ) ଏ କ୍ଷେତ୍ରରେ ଭିନ୍ନ ଆଭିମୁଖ୍ୟ ପୋଷଣ କରିଆସୁଛନ୍ତି। କିନ୍ତୁ ଆମେ ଆମ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ କରିବୁ ନାହିଁ ବୋଲି ସେ କହିଛନ୍ତି l
ତେବେ ମିଳିଥିବା ସୂଚନା ଅନୁଯାୟୀ, ଶରଦ ପାୱାରଙ୍କୁ ମନାଇବା ପାଇଁ ଅଜିତ ପାୱାର ପ୍ରସ୍ତାବ ଦେଇଥିଲେ । ସେ ଶରଦ ପାୱାରଙ୍କୁ କହିଥିଲେ ଯେ, ଦଳର ସମସ୍ତ ବିଧାୟକ ଚାହୁଁଛନ୍ତି ଯେ ଆପଣ ସାଙ୍ଗରେ ଆସନ୍ତୁ। ତେବେ ଶରଦ ପାୱାର ଏଥିରେ ସହମତ ହୋଇନଥିଲେ । ବାସ୍ତବରେ, ଶରଦ ପାୱାର ଶନିବାର ପୁଣେରେ ଥିଲେ, ଅଜିତ ପାୱାର ଚାନ୍ଦନୀ ଛକ ବ୍ରିଜର ଉଦଘାଟନ ପାଇଁ ପୁଣେ ଆସିଥିଲେ। ଏହି କାର୍ଯ୍ୟକ୍ରମ ପରେ ଖବର ଆସିଥିଲା ଯେ ପୁଣେର ବ୍ୟବସାୟୀ ଅତୁଲ ଚୋର୍ଡିଆଙ୍କ ବାସଭବନରେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଥିଲା, ଯାହା ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା।





