ବୌଦ୍ଧ ଜିଲ୍ଲା ମଣିପୁର ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ମଧ୍ୟାହ୍ଣ ଭୋଜନ ଖାଇ ୨୫ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

ବୌଦ୍ଧ: ହଷ୍ଟେଲରେ ମଧ୍ୟାହ୍ଣ ଭୋଜନ ଖାଇ ୨୫ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟରେ ଘଟିଛି ଏହି ଘଟଣା । ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ପ୍ରଥମେ ଅସୁସ୍ଥ ହୋଇଥିବା ସମସ୍ତ ୨୫ ଛାତ୍ରୀଙ୍କୁ ହଷ୍ଟେଲରେ ଔଷଧ ଦିଆଯାଇଥିଲା। ଔଷଧ ଖାଇବା ପରେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥାରେ ସୁଧାର ଆସିଥିଲା। ଅନ୍ୟପକ୍ଷରେ ବାକି ୧୦ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସି ନଥିଲା। ଏହା ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣା ସଂପର୍କରେ ହଷ୍ଟେଲ କର୍ତ୍ତୃପକ୍ଷ କିଛି କହୁ ନାହାନ୍ତି। ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ସେମାନେ ସିଧାସଳଖ ମନା କରି ଦେଇଛନ୍ତି। ତେଣୁ କେବଳ ୨୫ ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି ନା ଆହୁରି ଅଧିକ ଛାତ୍ରୀ ଅସୁସ୍ଥ ହୋଇଛନ୍ତି, ସେ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related Posts