ଭୁବନେଶ୍ୱର: ସାମ୍ନାକୁ ଆସିଛି ପାର୍କିଂକୁ ନେଇ ଦୁଇ ଠିକାଦାରଙ୍କ କେଳେଙ୍କାରୀ । ବିଏମ୍ସିଠାରୁ ଲାଇସେନ୍ସ ପାଇଥିବା ଦୁଇ ଠିକାଦାରମାନଙ୍କ କେଳେଙ୍କାରୀ ଧରାପଡ଼ିବା ପରେ ଏବେ ଆକ୍ସନ ନେଇଛି ବିଏମ୍ସି ।
ସୂଚନାଯୋଗ୍ୟ, ପୂର୍ବରୁ ପାର୍କିଂ ଠିକାଦାରଙ୍କ ଶୋଷଣ, ମନମାନୀ ଆଦି କେଳେଙ୍କାରୀକୁ ନେଇ ବହୁ ଅଭିଯୋଗ ହୋଇଆସୁଥିଲା। ଆଜି ତାହା ସତ ବୋଲି ପ୍ରମାଣିତ ହୋଇଛି। ତେଣୁ ଜଣେ ଠିକାଦାରଙ୍କ ଉପରେ ବିଏମ୍ସି ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଥିବା ବେଳେ ଆଉ ଜଣେ ଠିକାଦାରଙ୍କ ଲାଇସେନ୍ସ ବାତିଲ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ରାମ ମନ୍ଦିର ଅଞ୍ଚଳର ପାର୍କିଂ ଠିକାଦାରଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଥିବା ବେଳେ ଖଣ୍ଡଗିରି ପାର୍କିଂ ଠିକାଦାରଙ୍କ ଲାଇସେନ୍ସ ରଦ୍ଦ କରାଯିବ ବୋଲି ସୂଚନା ମିଳିଛି।
ବିଏମ୍ସିର ସ୍ବୀକୃତିପ୍ରାପ୍ତ ପାର୍କିଂ ଜାଗାରେ ନିୟମିତ ସାଧାରଣ ଲୋକ ଠକାମିର ଶିକାର ହେଉଛନ୍ତି।
ସୂଚନାଯୋଗ୍ୟ ଯେ ଯେତେ ସୁଧାରିବାକୁ ଉଦ୍ୟମ ହେଲେ ବି ବିଏମ୍ସି ପାର୍କିଂ ବ୍ୟବସ୍ଥାରେ ଉନ୍ନତି ଆସୁନାହିଁ। ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି। ଠିକାଦାରମାନେ ମନମାନୀ କରି ଲୋକଙ୍କୁ ଲୁଟୁଛନ୍ତି। ଅଭିଯୋଗ ପରେ ଯେତେବେଳେ ଚଢ଼ଉ ହେଉଛି, କିଛି ଦିନ ଠିକ୍ଠାକ୍ ଚାଲୁଛି। କିନ୍ତୁ ପରେ ପୁଣି ଅରାଜକତା ଆରମ୍ଭ ହୋଇଯାଉଛି। କେଉଁଠି ବିଏମ୍ସିର ସ୍ବୀକୃତିପ୍ରାପ୍ତ ଜାଗାରେ ଠିକାଦାର ମନଇଚ୍ଛା ଦର କଷୁଛି ତ କେଉଁଠି ଅଣସ୍ବୀକୃତିପ୍ରାପ୍ତ ଜାଗାରେ ଠିକାଦାର ପାର୍କିଂ କରାଇ ବେଆଇନ ଭାବରେ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛି।





