ଅଷ୍ଟ୍ରେଲିଆ ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା; ୪ ମୃତ, ୩ ଆହତ

ଭୁବନେଶ୍ଵର,୨/୧(ସତ୍ୟପାଠ ବ୍ୟୁରୋ): ଅଷ୍ଟ୍ରେଲିଆରେ ମଝି ଆକାଶରେ ଧକ୍କା ହେଲା ଦୁଇ ହେଲିକପ୍ଟର। ଚାଲିଗଲା ୪ ଜଣଙ୍କ ଜୀବନ । ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଅଷ୍ଟ୍ରେଲିଆର ପର୍ଯ୍ୟଟନସ୍ଥଳୀ ‘ଗୋଲ୍‌ଡ୍‌ କୋଷ୍ଟ୍‌’ରେ।

ସୋମବାର ଅଷ୍ଟ୍ରେଲିଆର ପର୍ଯ୍ୟଟନସ୍ଥଳୀ ‘ଗୋଲ୍‌ଡ୍‌ କୋଷ୍ଟ୍‌’ରେ ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ପରସ୍ପର ଧକ୍କା ହୋଇଥିଲା। ଫଳରେ ଗୋଟିଏ ହେଲିକପ୍ଟରେ ଥିବା ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଗୋଟିଏ ହେଲିକପ୍ଟର ସୁରକ୍ଷିତ ଭାବେ ଗୋଲ୍ଡ କୋଷ୍ଟର ମେନ୍ ବିଚ୍ ଅବତରଣ କରିଥିଲା। ଅନ୍ୟ ହେଲିକପ୍ଟରଟି କ୍ଷତିଗ୍ରସ୍ତ ହୋଇଛି।

ପୁଲିସ କହିବା ମୁତାବକ, ଲ୍ୟାଣ୍ଡିଂ କରୁଥିବା ବେଳେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା। କ୍ଷତିଗ୍ରସ୍ତ ହେଲିକପ୍ଟରଟି ଲ୍ୟାଣ୍ଡିଂ ସ୍ଥଳରୁ ବହୁ ଦୂରରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡିଛି। ଏଥିରେ ହିଁ ୪ ଯାତ୍ରୀଙ୍କ ମୃତଦେହ ଥିବା ସହ ୩ ଜଣ ଗୁରୁତର ଥିଲେ। ପରେ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟିଥିବା ସ୍ଥାନ ସିୱର୍ଲ୍ଡ ଡ୍ରାଇଭକୁ ଯାତାୟତ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯାଇଛି।

ସେପଟେ ଅଷ୍ଟ୍ରେଲୀୟ ପରିବହନ ସୁରକ୍ଷା ବ୍ୟୁରୋର ମୁଖ୍ୟ କମିଶନର ଆଙ୍ଗୁସ୍ ମିଚେଲ କହିଛନ୍ତି ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି। ୩ ଜଣ ଆହତ ହେବା ପରେ ତଦନ୍ତ ଚାଲିଛି ବୋଲି କୁଇନ୍ସଲ୍ୟାଣ୍ଡ ଆମ୍ବୁଲାନ୍ସ ସେବା ପୂର୍ବରୁ କହିଛି।

Related Posts