ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ଥିବା ପଦବି ପୂରଣ, ଯୁବ ବର୍ଗଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ପ୍ରସଙ୍ଗରେ ଶାସକ ଦଳକୁ ବିରୋଧୀ ଟାର୍ଗେଟ କରିବାରେ ଲାଗିଛି । ଏପରିକି ଚାକିରି ନପାଇ ଲକ୍ଷ ଲକ୍ଷ ପିଲା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି କହିଛନ୍ତି । ଏସବୁ ମଧ୍ୟରେ ମୁଲତବୀ ପ୍ରସ୍ତାବର ଉତ୍ତର ରଖି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ କହିଥିଲେ, ରାଜ୍ୟର ସ୍ଥିତି, ଚିତ୍ର ବଦଳିଛି । ୧୯୯୫-୧୯୯୯ରେ ରାଜ୍ୟରେ କଂଗ୍ରେସ ସରକାରବେଳେ ବେକାରୀ ସମସ୍ୟା ଉଗ୍ର ରୂପ ନେଇଥିଲା।
କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନଥିଲା। ଏବେ ସେ ସ୍ଥିତି ନାହିଁ। ଦରମା ଦେବାକୁ ଋଣ କରିବାକୁ ପଡ଼ୁନି। ୨୦୦୦ ମସିହାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରାଜ୍ୟରେ ଆଶାର ଆଲୋକ ଦେଖାଦେଇଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ଅର୍ଥନୀତି କ୍ଷେତ୍ରରେ ଆଖିଦୃଶିଆ ଅଗ୍ରଗତି ହାସଲ କରିଛି। ରାଜ୍ୟକୁ ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ସବୁ କ୍ଷେତ୍ରରେ ଅଗ୍ରଗତି ହୋଇଛି। ରାଜ୍ୟରେ ଲକ୍ଷଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶାରେ ବେକାରୀ ସମସ୍ୟା ସବୁଠୁ କମ୍। ମୁଲତବୀ ନୋଟିସ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସରକାରଙ୍କୁ ତାତ୍ସଲ୍ୟ କରି କହିଥିଲେ, ଦକ୍ଷତା ବିକାଶ ମନ୍ତ୍ରୀ ତାଙ୍କ ଉତ୍ତର ସମୟରେ ୧୭୪ ଥର ମୁଖ୍ୟମନ୍ତ୍ରୀଙ୍କ ନାମ ନେଇଛନ୍ତି।
ମୋଟ ସରକାରୀ ପଦବିର ୨୨.୫ପ୍ରତିଶତ ପଦବି ଖାଲି ପଡ଼ିଛି। ବିଜେଡି ୨୦୧୪ରେ ତା’ର ନିର୍ବାଚନ ଇସ୍ତାହାରରେ କହିଥିଲା ପ୍ରତି ପଞ୍ଚାୟତରେ ୧୫୦ ଜଣଙ୍କୁ ଚାକିରି ଦେବ। ବର୍ଷକୁ ଦୁଇ ଲକ୍ଷ ନିଯୁକ୍ତି ଦେବ ବୋଲି କହିଥିବାବେଳେ କୁଆଡ଼େ ଗଲା ଚାକିରି? ଯୁବକଙ୍କ ଭବିଷ୍ୟତ ନଷ୍ଟ କରିବାକୁ କେବଳ ଗାଁ ଗାଁରେ ମଦ ଦୋକାନ ଖୋଲାଯାଇଛି । ବିଜୁ ଯୁବ ବାହିନୀ ନାଁରେ ଶହେ କୋଟି କ’ଣ କଲେ? ମା’କୁ ସମ୍ମାନ କଥା କହୁଛନ୍ତି, ହେଲେ ଶିକ୍ଷିତ ଯୁବତୀଙ୍କୁ ବି ଚାକିରି ମିଳୁନାହିଁ। ଗରିବ ଓ ଖଟିଖିଆଙ୍କ ପିଲା ଚାକିରି ନପାଇ ଗାଁରେ ବୁଲୁଛି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଥିଲେ, ବେକାରି ସମସ୍ୟା ପାଇଁ ନିଶା କାରବାର ଓ ଅପରାଧ ବଢୁଛି। ଚାକିରି ନଥିବାରୁ ଏବେ ଇଞ୍ଜିନିୟରିଂ କଲେଜରେ ପିଲା ପଢ଼ୁନାହାନ୍ତି। ଇଞ୍ଜିନିୟରିଂ କଲେଜ ବନ୍ଦ ହୋଇଗଲାଣି। ଓଡ଼ିଶାରେ କଳକାରଖାନାରେ ପିଲାଙ୍କୁ ନିଯୁକ୍ତି ମିଳୁନି। ସ୍କୁଲରେ ଶିକ୍ଷକ ନାହାନ୍ତି। ନିଯୁକ୍ତି ନଥିବାରୁ ପିଲା ପଥଭ୍ରଷ୍ଟ। ରାଜ୍ୟରେ ଚୋରି, ଛିନ୍ତାଇ, ଡକାୟତି ବଢ଼ୁଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





