ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମାନ ଆଚରଣ ସଂହିତା (ୟୁସିସି) ଉପରେ ନିଜର ମତ ରଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍। ୟୁସିସି ଦେଶରେ ଗଭୀର ବିଭେଦ ରେଖା ଟାଣିବ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମାଜିକ ଅସ୍ଥିରତା ସୃଷ୍ଟି କରିବ ବୋଲି ଷ୍ଟାଲିନ୍ କହିଛନ୍ତି। ୟୁସିସି ନେଇ ଲ କମିଶନ ମତ ଚାହିଁଥିବାରୁ ଷ୍ଟାଲିନ୍ ତାଙ୍କ ମତ ପ୍ରକାଶ କରିଛନ୍ତି। ସେ ଏହାକୁ ଦୃଢ଼ ବିରୋଧ କରୁଛନ୍ତି ବୋଲି କହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍।
ଏନେଇ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ‘ୟୁସିସି ଲାଗୁ କରିବାର କୌଣସି ବି ପ୍ରୟାସ ଆଦିବାସୀଙ୍କ ସମେତ ସଂଖ୍ୟା ଲଘୁଙ୍କ ବିଶିଷ୍ଟ ଧାର୍ମିକ ଓ ସାଂସ୍କୃତିକ ପରିଚୟକୁ ନଷ୍ଟ କରିବା ସହ ସମାନ। ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବାକୁ ପ୍ରୟାସ କରିବାକୁ ରାଜ୍ୟମାନେ ଧାର୍ମିକ ପ୍ରସଙ୍ଗରେ ବଳପୂର୍ବକ ହସ୍ତକ୍ଷେପ ଦୃଷ୍ଟିରେ ଦେଖିପାରନ୍ତି। ଏହା ଏକ ଚିନ୍ତାଜନକ ବିଷୟ ହେବ।’
ଲ କମିଶନଙ୍କୁ ଲେଖିଥିବା ପତ୍ରରେ ଷ୍ଟାଲିନ ଲେଖିଛନ୍ତି ଯେ, ‘ୟୁସିସି ଦେଶ ପାଇଁ ଏକ ଏକ ଗମ୍ଭୀର ବିପଦ। ଏହା ଆମ ସମାଜର ବିବିଧ ସାମାଜିକ ସଂରଚନା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ।’ ସେ ଆହୁରି ଲେଖିଛନ୍ତି ଯେ, ‘ମୁଁ ଲେଖି ଜଣାଇବାକୁ ଚାହୁଁଛି ଯେ ବହୁ ସଂସ୍କୃତିର ଏକ ମିଶ୍ରିତ ଦେଶ କୁହାଯାଉଥିବା ଭାରତରେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଲାଗୁ କରିବାର ଆଇଡିଆକୁ ତାମିଲନାଡୁ ସରକାର ଦୃଢ଼ ବିରୋଧ କରୁଛନ୍ତି। ଯଦିଓ କିଛିଟା ସଂଶୋଧନର ଆବଶ୍ୟକତାକୁ ମୁଁ ବୁଝୁଛି। ତେବେ ମୋତେ ଲାଗୁଛି ଯେ ଏହା ଆମ ସମାଜର ବିବିଧ ସାମାଜିକ ସଂରଚନା ପାଇଁ ବିପଦ ଓ ଆହ୍ୱାନ ସୃଷ୍ଟି କରିବ।’
ଷ୍ଟାଲିନ୍ ଆହୁରି କହିଛନ୍ତି ଯେ, ଭାରତ ସମ୍ବିଧାନର ଧାରା ୨୯ ମାଧ୍ୟମରେ ସଂଖ୍ୟାଲଘୁମାନଙ୍କର ଅଧିକାରକୁ ସମ୍ମାନ ଏବଂ ସୁରକ୍ଷା କରୁଥିବା ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ଗର୍ବିତ। ସମ୍ବିଧାନର ଷଷ୍ଠ କାର୍ଯ୍ୟସୂଚୀରେ ମଧ୍ୟ ରାଜ୍ୟ ଆଦିବାସୀ ପରିଷଦ ମାଧ୍ୟମରେ ରାଜ୍ୟଗୁଡିକର ଆଦିବାସୀ ଅଞ୍ଚଳ ସେମାନଙ୍କର ରୀତିନୀତି ଏବଂ ପ୍ରଥାକୁ ସଂରକ୍ଷଣ କରି ରଖିବାର ଅଧିକାର ରହିଛି।
ଷ୍ଟାଲିନ୍ ଲେଖିଛନ୍ତି ‘ୟୁସିସି ନିୟମ ଅନୁସାରେ ଏହା ଆଦିବାସୀ ସମ୍ପ୍ରଦାୟ ଉପରେ ବେଆଇନ ଭାବେ ପ୍ରଭାବିତ କରି ସେମାନଙ୍କର ପାରମ୍ପରିକ ପ୍ରଥା ଓ ସାଂସ୍କୃତିକ ପରିଚୟକୁ ସଂରକ୍ଷିତ କରି ରଖିବା ଦିଗରେ ବ୍ୟାଘାତ ସୃଷ୍ଟି କରିପାରେ।’ ଏଥିସହିତ ଆମ ସମାଜରେ ଥିବା ସାମାଜିକ-ଆର୍ଥିକ ପାର୍ଥକ୍ୟକୁ ବିଚାର ନକରି ୟିସିସି ଲାଗୁ କରିବା ବିପରୀତ ପରିଣାମ ଦେଇପାରେ ବୋଲି ଷ୍ଟାଲିନ୍ କହିଛନ୍ତି।
ଏହା ପୂର୍ବରୁ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ, ମେଘାଳୟ ମୁଖ୍ୟମନ୍ତ୍ରୀ କନରୋଡା ସାଂଗମା ୟୁସିସିକୁ ବିରୋଧ କରିଥିଲେ। ସେହିପରି ଆମ ଆଦମୀ ପାର୍ଟି ସମେତ କିଛି ବିଜେପି ଶାସିତ ରାଜ୍ୟରେ ୟୁସିସିକୁ ସମର୍ଥନ ମିଳିଛି। ତେବେ ଏ ନେଇ କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ ହୋଇ ନାହିଁ।
ସୂଚନାଯୋଗ୍ୟ ଯେ, ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ୟୁସିସି ବିଲ୍ ଆଣିବାକୁ ଯୋଜନା କରୁଛନ୍ତି। ମୋଟ ୨୩ ଦିନ ଧରି ଚାଲିବାକୁ ଥିବା ମୌସୁମୀ ଅଧିବେସନ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି।





